Categories: ଖେଳ

ଓସିଏଲ୍‌: ଲାୟନ୍ସ, ଜାଗୁଆର୍ସ ବିଜୟୀ

ଭୁବନେଶ୍ୱର, ୨୪।୬: ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ୨ଟି ଓସିଏଲ୍‌ (ଓଡ଼ିଶା କ୍ରିକେଟ ଲିଗ୍‌) ମ୍ୟାଚରେ ଲାୟନ୍ସ ଓ ଜାଗୁଆର୍ସ ଦଳ ବିଜୟ ହାସଲ କରିଛନ୍ତି। ପ୍ରଥମ ମ୍ୟାଚରେ ଲାୟନ୍ସ ୪ ଉଇକେଟରେ ଓଡ଼ିଶା ପୁମାସକୁ ପରାସ୍ତ କରିଛି। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ପୁମାସ ୧୮ ଓଭରରେ ୯ ଉଇକେଟ ହରାଇ ୧୩୦ ରନ କରିଥିଲା। ଦଳ ପକ୍ଷରୁ ରାକେଶ ପଟ୍ଟନାୟକ ସର୍ବାଧିକ ୪୪ ରନ କରିଥିବାବେଳେ ବିପକ୍ଷ ଦଳର ପ୍ରଦୀପ ପ୍ରଧାନ ୪ଟି ଓ ରିତେଶ ପ୍ରିୟରଞ୍ଜନ ୩ଟି ଉଇକେଟ ନେଇଥିଲେ। ଜବାବରେ ଓଡ଼ିଶା ଲାୟନ୍ସ ୧୭.୨ ଓଭରରେ ୬ ଉଇକେଟ ହରାଇ ୧୩୫ ରନ ସଂଗ୍ରହ କରି ନେଇଥିଲା। ବିପ୍ଳବ ସାମନ୍ତରାୟ ୩୬ ଓ ଅମିନ ଖାଁ ୩୫ ରନ କରିଥିଲେ। ଦ୍ୱିତୀୟ ମ୍ୟାଚରେ ଜାଗୁଆର୍ସ ୮ ଉଇକେଟରେ ଓଡ଼ିଶା ଟାଇଗର୍ସକୁ ହରାଇ ଦେଇଛି। ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଟାଇଗର୍ସ ୧୭.୧ ଓଭରରେ ମାତ୍ର ୫୭ ରନକରି ଅଲ୍‌ଆଉଟ ହୋଇ ଯାଇଥିଲା। ବିପକ୍ଷ ଦଳର ପ୍ରଶାନ୍ତ ଠାକ୍କର ୩ଟି ଏବଂ ପପୁ ରାୟ ଓ ସୟଦ ଜାକି ୨ଟି ଲେଖାଏ ଉଇକେଟ ନେଇ ଟାଇଗର୍ସ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ୫୮ ରନ ବିଜୟ ଲକ୍ଷ୍ୟକୁ ଜାଗୁଆର୍ସ ମାତ୍ର ୨ ଉଇକେଟ ହରାଇ ୮.୪ ଓଭରରେ ହାସଲ କରି ନେଇଥିଲା। ଶ୍ରେୟାଂଶ ଭରଦ୍ୱାଜ ୨୪ ରନକରି ଅପରାଜିତ ରହିଥିଲେ। ପରାଜିତ ଦଳର ବି. ଶିବା ୨ଟି ଯାକ ଉଇକେଟ ନେଇଥିଲେ।

Share