ଜିଲା ଦାବିରେ ଅକ୍ଟୋବର ୩ ନୀଳଗିରି ବନ୍ଦ

ନୀଳଗିରି, ୨୪।୯(ପ୍ରଶାନ୍ତ ବିଶ୍ୱାଳ): ନୀଳଗିରିକୁ ସ୍ବତନ୍ତ୍ର ଜିଲା ଘୋଷଣା ଦାବିରେ ବିଭିନ୍ନ ସମୟରେ ସରକାରଙ୍କଠାରେ ଦାବି ହୋଇଆସୁଛି। ସେପ୍ଟେମ୍ବର ୧୬ତାରିଖରେ ଏନେଇ ଏକ ବିଶାଳ ଜନସମାବେଶରେ ନୀଳଗିରିକୁ ତୁରନ୍ତ ସରକାର ଜିଲା ଘୋଷଣା କରନ୍ତୁ ବୋଲି ଦୃଢ଼ ଦାବି ହୋଇଥିଲା। ସରକାରଙ୍କ ପକ୍ଷରୁ କୌଣସି ସକରାତ୍ମକ ପରିଣାମ ମିଳିପାରିନାହିଁ। ଏନେଇ ଶନିବାର ନୀଳଗିରି ଡାକବଙ୍ଗଳା ପରିସରରେ ଜିଲା କ୍ରିୟାନୁଷ୍ଠାନ କମିଟିର ଆବାହକ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀଙ୍କ ଆବାହନରେ ଏକ ବୈଠକ ବସିଥିଲା।
କ୍ରିୟାନୁଷ୍ଠାନ କମିଟିର ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରୀ କମିଟିରେ ଅବସରପ୍ରାପ୍ତ ବିଡ଼ିଓ ଦୟାନିଧି ମିଶ୍ର ଅଧ୍ୟକ୍ଷତା କରିଥିଲେ। ନୀଳଗିରି ଉପଜିଲାପାଳଙ୍କ ଜରିଆରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଥିଲେ ହେଁ ସରକାର ସକରାତ୍ମକ ପଦକ୍ଷେପ ନ ନେବା ଦୁର୍ଭାଗ୍ୟର ବିଷୟ ବୋଲି ଆବାହକ ଚିତ୍ତ ଷଡ଼ଙ୍ଗୀ ମତପୋଷଣ କରିଥିଲେ। ଏଥିପାଇଁ ନୀଳଗିରିବାସୀଙ୍କ ହକ୍‌ ପାଇଁ ଆସନ୍ତା ଅକ୍ଟୋବର ୩ତାରିଖରେ ନୀଳଗିରି ବନ୍ଦ ରଖିବାକୁ ବୈଠକରେ ସର୍ବସମ୍ମତିକ୍ରମେ ମତପ୍ରକାଶ ପାଇଥିଲା। କାର୍ଯ୍ୟକାରୀ କମିଟି ବୈଠକରେ ବାଉଁଶବଣିଆ ସରପଞ୍ଚ ନିରଞ୍ଜନ ବାରିକ, ସୁରେଶ ବେହେରା, ପିତାମ୍ବର ସିଂ, ଆଇନ୍‌ଜୀବୀ କିଶୋର ଦାସ, ଦେବେନ୍ଦ୍ର ପଣ୍ଡା, ସୁରେଶ ଦାସ, ପ୍ରଫୁଲ୍ଲ ବେହେରା ବିଜୟ ସ, ନିହାର ଜେନା, ଦାମୋଦର ବିଶ୍ୱାଳ, ଔପଦା କଂଗ୍ରେସ ସଭାପତି ଗଦାଧର ପରିଡ଼ା, ଶ୍ୟାମସୁନ୍ଦରପୁର ସରପଞ୍ଚ ପୁରସ୍ତମ ସେଠୀ, ନିରଞ୍ଜନ ଲେଙ୍କା, ହୃଦୟ ବେହେରା ପ୍ରମୁଖ ବହୁ ସଙ୍ଗଠକ ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ।

Share