Categories: ଫୁରସତ

ସାଂସଦଙ୍କ ଅଦ୍ଭୁତ ପରାମର୍ଶ: କାଦୁଅରେ ଗାଧୋଇ ଶଙ୍ଖ ଫୁଙ୍ଖିଲେ ହେବନି କରୋନା

ଜୟପୁର, ୧୭।୮: କରୋନା ମହାମାରୀକୁ ନେଇ ଯେଉଁଠାରେ ସାରା ବିଶ୍ୱର ବୈଜ୍ଞାନିକ ଏହାର ନିରାକରଣ ଟୀକା ସନ୍ଧାନରେ ରହିଛନ୍ତି ସେଭଳି ସମୟରେ ରାଜସ୍ଥାନର ଜଣେ ସାଂସଦଙ୍କ ଅଦ୍ଭୁତ ପରାମର୍ଶ ଏବେ ସାମ୍ନାକୁ ଆସିଛି। ପୂର୍ବରୁ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ସାଂସଦ ଅର୍ଜୁନ ମେଘଓ୍ବାଲ ‘ଭାବିଜୀ ପାମ୍ପଡ’ ଖାଇବାକୁ ପରାମର୍ଶ ଦେଇଥିଲେ। ଏବେ ଆଉ ଜଣେ ଭାଜପା ସାଂସଦ କରୋନାରୁ ରକ୍ଷା ପାଇବା ଲାଗି ଆଉ ଏକ ଭିନ୍ନ ପରାମର୍ଶ ଦେଇ ଚର୍ଚ୍ଚାକୁ ଆସିଛନ୍ତି।
ଟୋଙ୍କର ଭାଜପା ସାଂସଦ ସୁଖବୀର ସିଂ ଜୋନପୁରିୟା ପରାମର୍ଶ ଦେଇଛନ୍ତି ଯେ, କାଦୁଅରେ ଗାଧୋଇ ଶଙ୍ଖ ଫୁଙ୍ଖିବା ଦ୍ୱାରା କରୋନା ମହାମାରୀକୁ ଏଡ଼ାଇ ଦେଇହେବ। ଏଥିସହ ସୁଖବୀରଙ୍କ ଏଭ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ନିଜେ କାଦୁଅରେ ଗାଧୋଇବା ସହ ଶଙ୍ଖ ଫୁଙ୍ଖୁଥିବାର ଦେଖିବାକୁ ମିଳିଛି। ଏହି ଭିଡିଓରେ ସେ କହିଛନ୍ତି, ‘କରୋନା ଆରମ୍ଭରୁ ମୁଁ କହିଥିଲି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଅ। ଔଷଧ ଖାଇବା ଦ୍ୱାରା ଏହା ବଢ଼ିବନି। ପ୍ରାକୃତିକ ଉପାୟରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ପଡ଼ିଥାଏ। ଯେଉଁଥି ପାଇଁ ତୁମକୁ ବୁଲିବା ଦରକାର। ବର୍ଷାରେ ଓଦା ହୋଇ ମାଟି ଉପରେ ବସିବା ଆବଶ୍ୟକ। ଏଥିସହ ଜମିରେ କାମ କର, ଖାଲି ପାଦରେ ଚାଲନ୍ତୁ, କାଦୁଅରେ ଗାଧୋଇବା ସହ ଶଙ୍ଖ ଫୁଙ୍କନ୍ତୁ। ଏହି ଜିନିଷଗୁଡ଼ିକ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।’

Share