Categories: ଖେଳ

ଓଡ଼ଗାଁ କପ୍‌: ରାମଧୁନ କ୍ଲବ ଚାମ୍ପିୟନ

ଓଡ଼ଗାଁ, ୧୯ା୧୨ (ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ସର୍ବଭାରତୀୟ ଫୁଟ୍‌ବଲ ଟୁର୍ନାମେଣ୍ଟ କମିଟି ଆନୁକୂଲ୍ୟରେ ସ୍ଥାନୀୟ ମିନି ଷ୍ଟାଡିୟମରେ ଚାଲିଥିବା ୪ର୍ଥ ରାଜ୍ୟସ୍ତରୀୟ ଓଡ଼ଗାଁ କପ ଫୁଟ୍‌ବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ ସୋନପୁରର ରାମଧୁନ କ୍ଲବ ୨-୧ ଗୋଲ୍‌ରେ ଜଗା ୟୁନାଇଟେଡ୍‌ ଭୁବନେଶ୍ୱରକୁ ପରାସ୍ତ କରି ଚାମ୍ପିୟନ ହୋଇଛି। ପ୍ରଥମାର୍ଦ୍ଧ ଖେଳର ୬ଷ୍ଠ ମିନିଟ୍‌ରେ ସୋନପୁର ଦଳର ନାଇଜେରିଆନ ଖେଳାଳି ଲକି ପ୍ରଥମ ଗୋଲ ସ୍କୋର କରିଥିଲେ । ଦ୍ୱିତୀୟାର୍ଦ୍ଧ ଖେଳର ୫ମ ମିନିଟ୍‌ରେ ମିଥୁନ ସାହୁ ଏକ ଗୋଲ୍‌ ଦେଇ ସୋନପୁର ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ। ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିବା ଲାଗି ଜଗା ୟୁନାଇଟେଡ୍‌ ଭୁବନେଶ୍ୱର ଉଦ୍ୟମ ଜାରି ରଖିଥିଲା।

ଖେଳର ୨୪ତମ ମିନିଟ୍‌ରେ ଗୋପାଳ ସିଂ ଦଳ ପକ୍ଷରୁ ଏକମାତ୍ର ଗୋଲ୍‌ ସ୍କୋର କରିବାରେ ସକ୍ଷମ ହୋଇଥିଲେ। ମ୍ୟାଚ୍‌ର ଅବଶିଷ୍ଟ ସମୟ ସଂଘର୍ଷପୂର୍ଣ୍ଣ ଥିଲା। ଏହି ସମୟ ମଧ୍ୟରେ କୌଣସି ଦଳ ଗୋଲ ସ୍କୋର କରିପାରି ନ ଥିଲେ। ଫଳରେ ରାମଧୁନ କ୍ଲବ ୨-୧ରେ ବିଜୟୀ ହୋଇଥିଲା। ଦଳର ନାଇଜେରିଆନ ଖେଳାଳି ଲକିଙ୍କୁ ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ଏବଂ ମିଥୁନ ସାହୁଙ୍କୁ ପ୍ଲେୟର ଅଫ୍‌ ଦି ଟୁର୍ନାମେଣ୍ଟ ଘୋଷଣା କରାଯାଇଥିଲା। ଉଭୟଙ୍କୁ ଟ୍ରଫି ସହ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଟୁର୍ନାମେଣ୍ଟ କମିଟି ସଭାପତି ତଥା ବିଧାୟକ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ରଣପୁର ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଜିଲାପାଳ ରବୀନ୍ଦ୍ର କୁମାର ସାହୁ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ରାମଧୁନ କ୍ଲବ ସୋନପୁର ଟିମ୍‌କୁ ଚାମ୍ପିୟନ ଟ୍ରଫି ସହିତ ନଗଦ ୨୫ ହଜାର ଏବଂ ରନର୍ସ ଅପ୍‌ ଦଳ ଜଗା ୟୁନାଇଟେଡ୍‌ ଭୁବନେଶ୍ୱର ଟିମ୍‌କୁ ରନର୍ସ ଅପ୍‌ ଟ୍ରଫି ସହ ନଗଦ ୧୫ ହଜାର ଟଙ୍କା ଆର୍ଥିକ ପୁରସ୍କାର ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ସୁଦୀପ୍ତ ଦାଶ, ବ୍ରହ୍ମାନନ୍ଦ ଭୋଇ, ପ୍ରିୟବ୍ରତ ବାହିନୀପତି ଓ ଏସ୍‌କେ ମୁକିମ୍‌ ପ୍ରମୁଖ ମ୍ୟାଚ୍‌ ପରିଚାଳନା କରିଥିଲେ। ଫାଇନାଲ ମ୍ୟାଚ୍‌ ପ୍ରାରମ୍ଭରେ ସ୍ଥାନୀୟ ସ୍କୁଲ ଓ କଲେଜର ୫୦୦ ଛାତ୍ରୀଛାତ୍ର ମିଳିତ ଭାବେ ପରେଡ୍‌ ପ୍ରଦର୍ଶନ କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଟୁର୍ନାମେଣ୍ଟ କମିଟି ସମ୍ପାଦକ ଲୋକନାଥ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ନିତ୍ୟାନନ୍ଦ ପ୍ରଧାନ, ବିଭୁପ୍ରସାଦ ସାହୁ, ଦିବାକର ନାୟକଙ୍କ ସମେତ କମିଟି ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

 

Share