Categories: ଖେଳ

୨୫ କୋଟି ଟଙ୍କାରେ ଦିଲ୍ଲୀ ଷ୍ଟାଡିୟମର ହେବ ନବୀକରଣ

ନୂଆଦିଲ୍ଲୀ, ୨୮ା୬: ଆସନ୍ତା ଅକ୍ଟୋବର ମାସରେ ଦିନିକିଆ କ୍ରିକେଟ ବିଶ୍ୱକପ୍‌ ୨୦୨୩ ଭାରତରେ ଅନୁଷ୍ଠିତ ହେବ। ଭାରତର ଅହମଦାବାଦ, ହାଇଦ୍ରାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ବେଙ୍ଗାଲୁରୁ, ମୁମ୍ବାଇ ଓ କୋଲକାତା ଭଳି ୧୦ଟି ଭେନ୍ୟୁରେ ୪୮ ମ୍ୟାଚ ଖେଳାଯିବ।

ଏପରିକି ଓ୍ବାର୍ମଅପ୍‌ ମ୍ୟାଚ୍‌ଗୁଡିକ ହାଇଦ୍ରାବାଦ, ଥିରୁଭାନନ୍ତପୁରମ୍‌ ଓ ଗୁଆହାଟୀରେ ଖେଳାଯିବା ନେଇ ସ୍ଥିର ହୋଇଛି। ବିଶ୍ୱକପ ପୂର୍ବରୁ ଦିଲ୍ଳୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମ ଉନ୍ନତୀକରଣ ପାଇଁ ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ(ଡିଡିସିଏ) ନିଷ୍ପତ୍ତି ନେଇଛି।

ଏପରିକି ବିସିସିଆଇ ପକ୍ଷରୁ ନିଆ ଯାଇଥିବା ନିଷ୍ପତ୍ତି ଅନୁସାରେ କେବଳ ଦିଲ୍ଲୀ ନୁହେଁ ହାଇଦ୍ରାବାଦ, କୋଲକାତା, ମୁମ୍ବାଇ ଓ ମୋହାଲି ଷ୍ଟାଡିୟମର ମଧ୍ୟ ନବୀକରଣ କରାଯିବ। ଅରୁଣ ଜେଟଲୀ ଷ୍ଟାଡିୟମର ନବୀକରଣ ପାଇଁ ୨୦ରୁ ୨୫କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି କୁହାଯାଇଛି।

୩୫ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମର ୧୦ ହଜାର ପୁରୁଣା ସିଟ୍‌କୁ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସହିତ ପରିସ୍କାର ଟଏଲେଟ ଏବଂ ସୁଷମ ଖାଦ୍ୟ ଯୋଗାଇବାକୁ ପ୍ରୟାସ କରିବୁ ବୋଲି ଡିଡିସିଏ ପକ୍ଷରୁ କୁହାଯାଇଛି। ସେପ୍ଟେମ୍ବର ୧୫ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବ ବୋଲି ଡିଡିସିଏର ଯୁଗ୍ମ ସଚିବ ରାଜନ୍‌ ମନଚନ୍ଦା ପ୍ରକାଶ କରିଛନ୍ତି।

Share