Categories: ଖେଳ

ବିଶ୍ୱକପ ୨୦୨୩: ଭାରତ-ପାକ୍‌ ମ୍ୟାଚର ତାରିଖରେ ହୋଇପାରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୨୬।୭: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ କ୍ରିକେଟର ସବୁଠାରୁ ବଡ ମହାକୁମ୍ଭ ଅର୍ଥାତ୍‌ ଆଇସିସି କ୍ରିକେଟ ବିଶ୍ୱକପ ଖେଳାଯିବ। କ୍ରିକେଟର ଏହି ମହାକୁମ୍ଭ ୫ ଅକ୍ଟୋବରରୁ ଆରମ୍ଭ। ଏଥି ସହିତ ଟୁର୍ଣ୍ଣାମେଣ୍ଟର ସବୁଠାରୁ ବଡ ମ୍ୟାଚ ଅର୍ଥାତ୍‌ ଇଣ୍ଡୋ-ପାକ୍‌ ମ୍ୟାଚ ଅକ୍ଟୋବର ୧୫ରେ ଅହମ୍ମଦାବାଦରେ ଖେଳାଯିବ, କିନ୍ତୁ ବର୍ତ୍ତମାନ ଏହାର ତାରିଖରେ ପରିବର୍ତ୍ତନ ହୋଇପାରେ। ଏ ସମ୍ପର୍କରେ ଅନେକ ତଥ୍ୟ ସାମ୍ନାକୁ ଆସିଛି।

ରିପୋର୍ଟ ଅନୁଯାୟୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ତାରିଖ ପରିବର୍ତ୍ତନ କରାଯାଇପାରେ। ରିପୋର୍ଟରେ କୁହାଯାଇଛି ଯେ ବିସିସିଆଇର ଜଣେ ଅଧିକାରୀ ସେମାନଙ୍କୁ କହିଛନ୍ତି, ସୁରକ୍ଷା ଦୃଷ୍ଟିରୁ ଏହି ମ୍ୟାଚର ତାରିଖ ପରିବର୍ତ୍ତନ କରାଯାଇପାରେ।

ରିପୋର୍ଟରେ ଆହୁରି କୁହାଯାଇଛି ଯେ ସୁରକ୍ଷା ଏଜେନ୍ସି କହିଛି ଯେ ଭାରତ ଏବଂ ପାକିସ୍ତାନ ଭଳି ହାଇ ପ୍ରୋଫାଇଲ ମ୍ୟାଚ, ଯେଉଁଥିରେ ଲକ୍ଷ ଲକ୍ଷ ଦର୍ଶକ ଷ୍ଟାଡିୟମକୁ ଆସନ୍ତି, ସୁରକ୍ଷା ପାଇଁ ବିପୁଳ ପରିମାଣର ଏଜେନ୍ସି ଏବଂ ପୋଲିସ ଆବଶ୍ୟକ ହେବ, କିନ୍ତୁ ସେହି ସମୟ ମଧ୍ୟରେ ସୁରକ୍ଷା ଏଜେନ୍ସି ଏବଂ ପୋଲିସ ନବରାତ୍ରୀ ବ୍ୟବସ୍ଥାରେ ନିୟୋଜିତ ହେବେ।

ବିସିସିଆଇ ସଚିବ ଜୟ ଶାହା ୨୦୨୩ ଦିନିକିଆ ବିଶ୍ୱକପ ମ୍ୟାଚ ଆୟୋଜନ କରୁଥିବା ରାଜ୍ୟ ସଙ୍ଗଠନଗୁଡ଼ିକୁ ଚିଠି ଲେଖି ୨୭ ଜୁଲାଇରେ ହେବାକୁ ଥିବା ବୈଠକରେ ଯୋଗଦେବାକୁ କହିଛନ୍ତି। ଏହି ବୈଠକରେ ବୋର୍ଡ ସଦସ୍ୟମାନଙ୍କୁ ଅହମ୍ମଦାବାଦରେ ସୁରକ୍ଷା ବ୍ୟବସ୍ଥା ବିଷୟରେ କହିପାରନ୍ତି। ଏହା ସହିତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ପାଇଁ ଏକ ନୂଆ ତାରିଖ ମଧ୍ୟ ସ୍ଥିର ହୋଇପାରେ।

Share