Categories: ଖେଳ

ପୃଥ୍ବୀଙ୍କଠାରୁ ଋତୁରାଜଙ୍କ ଯାଏ… ଅଧାରେ ରହିପାରେ ଏହି ଖେଳାଳିଙ୍କ ଦିନିକିଆ ବିଶ୍ୱକପ୍‌ ଖେଳିବା ସ୍ବପ୍ନ

ନୂଆଦିଲ୍ଲୀ,୩।୧: ଚଳିତ ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ ୨୦୨୩ର ପ୍ରସ୍ତୁତିରେ ବ୍ୟସ୍ତ ଅଛି ବିସିସିଆଇ। ଏହି ଟୁର୍ନାମେଣ୍ଟ ଲାଗି ବୋର୍ଡ ୨୦ ଖେଳାଳିଙ୍କୁ ଶର୍ଟଲିଷ୍ଟ କରିଛି। ବିଧିବଦ୍ଧ ଭାବେ ବୋର୍ଡ ସେମାନଙ୍କ ନାମ ଜାରି କରି ନ ଥିଲେ ହେଁ ଆଗାମୀ ଦିନରେ ଏହାକୁ ନେଇ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।

ତେବେ ବୋର୍ଡ ମାତ୍ର ୨୦ ଖେଳାଳିଙ୍କୁ ଶଟ୍‌ଲିଷ୍ଟ କରିବାର ନିଷ୍ପତ୍ତି ନେଇଥିବାରୁ କିଛି ତାରକା କ୍ରିକେଟର ନିରାଶ ହୋଇପାରନ୍ତି। ଏହାର ଅର୍ଥ ସେମାନଙ୍କର ବିଶ୍ୱକପ୍‌ ଖେଳିବା ସ୍ବପ୍ନ ଅଧାରେ ରହିପାରେ। ଆସନ୍ତୁ ଜାଣିବା ଏଭଳି ୫ ଖେଳାଳିଙ୍କ ବିଷୟରେ:-

-ପୃଥ୍ବୀ ଶ’-ଭାରତୀୟ ଟିମ୍‌ ପାଖରେ ଦିନିକିଆ କ୍ରିକେଟରେ ଓପନିଂ ଲାଗି ଅନେକ ବିକଳ୍ପ ରହିଛି। ପୃଥ୍ବୀ ଏହି ବିକଳ୍ପରେ ସାମିଲ ଅଛନ୍ତି। ହେଲେ ଏବେ ସେ ଦଳରେ ସ୍ଥାନ ପାଇବା ଦୌଡ଼ରେ ପଛରେ ରହିଛନ୍ତି। ଶିଖର ଧାଓ୍ବନ, ଇଶାନ କିଷନ, ଶୁଭମନ ଗିଲ, ଅଧିନାୟକ ରୋହିତ ଶର୍ମାଙ୍କ ଭଳି ଖେଳାଳି ରହିଥିବା ବେଳେ ପୃଥ୍ବୀଙ୍କୁ ସୁଯୋଗ ମିଳିବା ସହଜ ନୁହେଁ ବୋଲି କୁହାଯାଉଛି।

-ଋତୁରାଜ ଗାଏକଓ୍ବାଡ:-ଏହି ଓପନର ଅନ୍ତର୍ଜାତୀୟସ୍ତରରେ ସେତେଟା ପ୍ରଭାବୀ ପ୍ରଦର୍ଶନ କରିନାହାନ୍ତି। ସେ ଏଯାବତ ୯ ମୁକାବିଲା ଖେଳି ମାତ୍ର ୧୩୫ ରନ୍‌ କରିଛନ୍ତି। ମୋଟାମୋଟି ଭାବେ କହିଲେ ତାଙ୍କୁ ଚୟନକର୍ତ୍ତା ଦଳରେ ସାମିଲ କରିବା ବିଷୟରେ ଚିନ୍ତା କରି ନ ପାରନ୍ତି ବୋଲି କୁହାଯାଉଛି।

-ଦୀପକ ହୁଡ୍ଡା:- ବ୍ୟଟିଂ ଅଲରାଉଣ୍ଡର ଦୀପକଙ୍କୁ ସୁଯୋଗ ମିଳିବା ସହଜ ନୁହେଁ। ହେଲେ ଯଦି କୌଣସି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଏ ନଚେତ କେହି ଆହତ ହୁଅନ୍ତି ତେବେ ତାଙ୍କୁ ଖେଳାଯାଇପାରେ ବୋଲି କୁହାଯାଉଛି। ଦୀପକ ଏଯାବତ ୧୦ ଦିନିକିଆରେ ୧୫୩ ରନ୍‌ ସହ ୩ ଉଇକେଟ ନେଇଛନ୍ତି।

-ଦୀପକ ଚାହର:-ଦ୍ରୁତ ବୋଲର ଦୀପକ ବର୍ତ୍ତମାନ ସମୟରେ ଖେଳରୁ ଅଧିକ ଆହତ ସମସ୍ୟାକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି। ଟି୨୦ ବିଶ୍ୱକପ୍‌ ୨୦୨୨ରେ ତାଙ୍କୁ ଷ୍ଟାଣ୍ଡ ବାଇରେ ରଖାଯାଇଥିଲା। ହେଲେ ଆହତ ହେବା କାରଣରୁ ସେ ବାହାର ହୋଇଥିଲେ। ଏହାପରଠାରୁ ପିଠି ସମସ୍ୟାକୁ ନେଇ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିପାରିନାହାନ୍ତି। ଜସପ୍ରିତ ବୁମ୍‌ରା, ଶାମି, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ ଏବଂ ଉପମାନ ମଲିକ ଥିବା ବେଳେ ଦୀପକଙ୍କୁ ସୁଯୋଗ ମିଳିବା ଏକ ପ୍ରକାର ଅସମ୍ଭବ ବୋଲି କୁହାଯାଉଛି।

-ପ୍ରସିଦ୍ଧ କ୍ରିଷ୍ଣା:- ୨୬ ବର୍ଷୀୟ ଏହି ଦ୍ରୁତ ବୋଲର ଭାରତ ପାଇଁ ୧୪ ଦିନିକିଆ ମ୍ୟାଚ୍‌ ଖେଳି ୨୫ ଉଇକେଟ ନେଇଛନ୍ତି। ଏହି ପ୍ରଦର୍ଶନ ଦେଖିଲେ ତାଙ୍କୁ ଦଳରେ ସୁଯୋଗ ମିଳିବାର ଯୋଗ୍ୟ ବୋଲି କହିପାରିବେ। ହେଲେ ସେ ମଧ୍ୟ ଆହତ ହୋଇଥିବା କାରଣରୁ ଚୟନକର୍ତ୍ତା ତାଙ୍କ ସ୍ଥାନରେ ଅର୍ଶଦୀପ ଏବଂ ଉମରାନଙ୍କ ଭଳି ଫିଟ୍‌ ଖେଳାଳିଙ୍କୁ ସୁଯୋଗ ମିଳିପାରେ ବୋଲି କୁହାଯାଉଛି।

Share