Categories: ଜାତୀୟ

ଓଡ଼ିଆ ବାୟୁସେନା ଅଧିକାରୀ ଇଷ୍ଟର୍ନ ଏୟାର କମାଣ୍ଡ ମୁଖ୍ୟ

ନୂଆଦିଲ୍ଲୀ, ୩।୧୦: ବାୟୁସେନାର ଓଡ଼ିଆ ଅଫିସର ଏୟାର ମାର୍ଶାଲ ଦିଲୀପ କୁମାର ପଟ୍ଟନାୟକ ଇଷ୍ଟର୍ନ ଏୟାର କମାଣ୍ଡ୍‌ର ଏୟାର ଅଫିସର କମାଣ୍ଡିଂ ଇନ୍‌ ଚିଫ୍‌ ନିଯୁକ୍ତ ହୋଇଛନ୍ତି। ଏଭଳି ସମ୍ମାନଜନକ ପଦବୀକୁ ପଦୋନ୍ନତି ପାଇବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ବାୟୁସେନା ଅଧିକାରୀ। ରବିବାର ସେ ନୂଆ ପଦବୀରେ ଦାୟିତ୍ୱ ଗ୍ରହଣ କରିବେ। ଭୁବନେଶ୍ୱରର ଦିଲୀପ ପଟ୍ଟନାୟକ ୧ ନମ୍ବର କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ଡିଏମ୍‌ ସ୍କୁଲ୍‌ର ପୂର୍ବତନ ଛାତ୍ର। ମିରାଜ୍‌ ପାଇଲଟ ଭାବେ ୧୯୯୯ କାର୍ଗିଲ ଯୁଦ୍ଧ ବେଳେ ଅପୂର୍ବ ସାହସିକତା ପ୍ରଦର୍ଶନ କରି ସେ ବାୟୁସେନା ମେଡାଲ ପାଇଥିଲେ।
ଉଲ୍ଲେଖନୀୟ ସେବା ପାଇଁ ୨୦୨୦ରେ ତାଙ୍କୁ ଅତିବିଶିଷ୍ଟ ସେବା ପଦକ ମିଳିଥିଲା। ସେଣ୍ଟ୍ରାଲ ଏୟାର କମାଣ୍ଡରେ ସେ ଏବେ ସିନିୟର ଏୟାର ଷ୍ଟାଫ ଅଫିସର (ଏସ୍‌ଏଏସ୍‌ଓ) ଭାବେ କାର୍ଯ୍ୟରତ ଅଛନ୍ତି। ୧୯୮୪ ଜୁନ୍‌୮ରେ ସେ ବାୟୁସେନାର ଫାଇଟର ଷ୍ଟ୍ରିମ୍‌ରେ ପାଇଲଟ ଭାବେ ଯୋଗ ଦେଇଥିଲେ। ମିରାଜ ୨୦୦୦ ଏବଂ ମିଗ୍‌ ୨୧ ସମେତ ବିଭିନ୍ନ ଯୁଦ୍ଧବିମାନ ଓ ପ୍ରଶିକ୍ଷଣ ବିମାନ ସେ ଉଡ଼ାଇଛନ୍ତି। ତାଙ୍କର ୨୫୦୦ ଘଣ୍ଟାରୁ ଊର୍ଦ୍ଧ୍ୱ ବିମାନ ଉଡ଼ାଣ ଅଭିଜ୍ଞତା ରହିଛି। କାର୍ଗିଲ ଯୁଦ୍ଧବେଳେ ସେ କାର୍ଗିଲର ଟାଇଗର ହିଲ୍‌ରେ ରାତ୍ରି ସମୟରେ ଲେଜର ଗାଇଡେଡ୍‌ ବୋମାମାଡ଼ କରିଥିଲେ, ଯାହା ଉକ୍ତ ଅଞ୍ଚଳକୁ ପୁନର୍ବାର ଭାରତ ଅକ୍ତିଆରକୁ ଆଣିବାରେ ସହାୟକ ହୋଇଥିଲା।

Share