Categories: ଖେଳ

ହକି ବିଶ୍ୱକପରେ ଓଡ଼ିଆ

ଆଗାମୀ ହକି ବିଶ୍ୱକପରେ ଓଡ଼ିଶାର ୨ ଖେଳାଳି ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି। ସେମାନେ ହେଲେ ଡିଫେଣ୍ଡର ଅମିତ ରୋହିଦାସ ଓ ନିଲମ ସଞ୍ଜିପ ଖେସ୍‌। ୨୦୧୮ରେ ହୋଇଥିବା ଗତ ବିଶ୍ୱକପରେ ଅମିତଙ୍କ ସହ ବୀରେନ୍ଦ୍ର ଲାକ୍ରା ଭାରତୀୟ ଦଳରେ ସାମିଲ ଥିଲେ। ସେତେବେଳେ ଦୀର୍ଘ ୧୨ ବର୍ଷ ବ୍ୟବଧାନରେ ଭାରତୀୟ ହକି ବିଶ୍ୱକପ ଦଳରେ ଏକାଧିକ ଓଡ଼ିଆ ଖେଳାଳି ସାମିଲ ହେବାର ସୁଯୋଗ ପାଇଥିଲେ। କାରଣ ପୂର୍ବରୁ ୨୦୦୬ରେ ଭାରତୀୟ ଦଳରେ ଏକାଧିକ ଓଡ଼ିଆ ଖେଳାଳି ସାମିଲ ହେବାର ସୁଯୋଗ ପାଇଥିଲେ। ୨୦୦୬ ବିଶ୍ୱକପରେ ଦିଲୀପ, ଇଗ୍ନେସ ତିର୍କୀ ଓ ପ୍ରବୋଧ ତିର୍କୀ ଭାରତ ପକ୍ଷରୁ ଖେଳିଥିଲେ। କେବଳ ସେତିକି ନୁହେଁ ପ୍ରଥମ ଓଡ଼ିଆ ଖେଳାଳିଭାବେ ଦିଲୀପ ବିଶ୍ୱକପରେ ଭାରତୀୟ ଦଳର ନେତୃତ୍ୱ ନେଇ ରାଜ୍ୟକୁ ଗର୍ବିତ କରିଥିଲେ। ୨୦୧୦ରେ କୌଣସି ଓଡ଼ିଆ ଖେଳାଳି ଜାତୀୟ ଦଳରେ ସୁଯୋଗ ପାଇ ନ ଥିବାବେଳେ ୨୦୧୪ରେ ଏକମାତ୍ର ବୀରେନ୍ଦ୍ର ୧୮ ଜଣିଆ ଦଳରେ ସ୍ଥାନ ପାଇବାରେ ସକ୍ଷମ ହୋଇଥିଲେ।
ଇତିହାସ ଅବଲୋକନ କଲେ ଜଣାଯାଏ ହକି ବିଶ୍ୱକପ ୧୯୭୧ ମସିହାରୁ ଆରମ୍ଭ ହୋଇଥିଲେ ହେଁ ଓଡ଼ିଶା ଖେଳାଳିଙ୍କ ପ୍ରତିନିଧିତ୍ୱ ୧୯୯୮ରେ ଆରମ୍ଭ ହୋଇଥିଲା। ଅର୍ଥାତ୍‌ ୮ଟି ସଂସ୍କରଣ ପରେ ଭାରତ ପକ୍ଷରୁ କୌଣସି ଓଡ଼ିଶା ଖେଳାଳି ପ୍ରତିନିଧିତ୍ୱ କରିବାର ଗୌରବ ପାଇଥିଲେ। ନେଦରଲାଣ୍ଡର ଉଟ୍ରେଚ୍‌ଠାରେ ଅନୁଷ୍ଠିତ ଏହି ବିଶ୍ୱକପରେ ୨ ଜଣ ଓଡ଼ିଆ ଖେଳାଳି ଦିଲୀପ ତିର୍କୀ ଓ ଲାଜରୁସ ବାର୍ଲା ଭାରତ ପକ୍ଷରୁ ଖେଳିଥିଲେ। ୨୦୦୨ କୁଆଲାଲମ୍ପୁର ବିଶ୍ୱକପରେ ମଧ୍ୟ ଖେଳିବାର ସୁଯୋଗ ପାଇଥିଲେ ଦିଲୀପ ଓ ଲାଜରୁସ।
ହକି ମହାକୁମ୍ଭ ଏଥର ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜନ ହେବାକୁ ଯାଉଛି। ୨୦୧୮ରେ ଅମିତ ବିଶ୍ୱକପ୍‌ ଖେଳିବାର ଅଭିଜ୍ଞତା ରଖିଥିବାରୁ ଏଥର ଦ୍ୱିତୀୟ ଥରପାଇଁ ଏହି ମେଗା ଟୁର୍ନାମେଣ୍ଟରେ ନିଜ ଯାଦୁ ଦେଖାଇବାର ସୁଯୋଗ ପାଇଛନ୍ତି। ଅନ୍ୟ ପକ୍ଷରେ ନିଜ ଦକ୍ଷତା ଦ୍ୱାରା ଚୟନକର୍ତ୍ତାଙ୍କୁ ପ୍ରଭାବିତ କରି ପାରିଥିବା ନିଲମ ଏଥର ପ୍ରଥମଥରପାଇଁ ବିଶ୍ୱକପରେ ଖେଳିବାର ଅନୁଭୂତି ଲାଭ କରିବେ। କଳିଙ୍ଗ ଓ ବିର୍ସାମୁଣ୍ଡା ଷ୍ଟାଡିୟମ ଘରୋଇ ପଡ଼ିଆ ହୋଇଥିବାରୁ ଉଭୟ ଅମିତ ନିଲମ ଦର୍ଶକ ସମର୍ଥନ ଲାଭ କରିବା ସହ ଶ୍ରେଷ୍ଠ ପ୍ରଦର୍ଶନ କରିବେ ବୋଲି ଓଡ଼ିଶା ହକି ପ୍ରେମୀଙ୍କ ଆଶା ରହିଛି।
ଅନ୍ତର୍ଜାତୀୟ ସ୍ତରରେ କୌଣସି ଓଡ଼ିଆ ଖେଳାଳି ଜାତୀୟ ଦଳର ନେତୃତ୍ୱ ନେବାରେ ଦିଲୀପ ଏକମାତ୍ର ଦୃଷ୍ଟାନ୍ତ ନୁହନ୍ତି। ଦିଲୀପ ଏହି ଧାରା ଆରମ୍ଭ କରିଛନ୍ତି ସତ, ମାତ୍ର ପରେ ଏହି ତାଲିକାରେ ଆହୁରି ଅନେକ ଓଡ଼ିଆ ଯୋଡ଼ି ହୋଇଯାଇଛନ୍ତି। ସେମାନେ ହେଲେ ଇଗ୍ନେସ ତିର୍କୀ, ପ୍ରବୋଧ ତିର୍କୀ, ଜ୍ୟୋତି ସୁନୀତା କୁଲୁ, ସୁଭଦ୍ରା ପ୍ରଧାନ, ସୁନୀତା ଲାକ୍ରା ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା ଏବଂ ଜୁନିୟରରେ ଦୀପସାନ ତିର୍କୀ। ଦିଲୀପ କେବଳ ବିଶ୍ୱକପରେ ନୁହନ୍ତି କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସରେ ମଧ୍ୟ ଜାତୀୟ ଦଳର ନେତୃତ୍ୱ ନେବାର ଅନୁଭୂତି ବହନ କରୁଛନ୍ତି। ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ସେ ଭାରତୀୟ ଦଳର ଅଧିନାୟକ ଥିଲେ।

Share