
କୋକସରା,୨।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ବାହାର ରାଜ୍ୟକୁ ପେଟପାଟଣା କରିବାକୁ ଯାଇ ପୁଣି ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଳାହାଣ୍ଡି ଜିଲା କୋକସରା ପଞ୍ଚାୟତ କୋକସରା ଗ୍ରାମର ଅଶୋକ କୁମାର ଦାସ(୫୪)। ଅଶୋକ ଦୀର୍ଘ ବର୍ଷ ହେଲା ଦାଦନ ଶ୍ରମିକ ଭାବେ ହାଇଦ୍ରାବାଦର ପଟେନଚେରୁ ଥାନା ଅଧୀନ ଏକ ଠିକା ସଂସ୍ଥାରେ କୋଠା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। ଅଶୋକ ଗତ ୧୮ତାରିଖରେ ଅସୁସ୍ଥ ହୋଇପଡି ସ୍ଥାନୀୟ ପଟେନଚେରୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ହେଲେ ଗତ ୩୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ ପଟେନଚେରୁ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଏପରିକି ପଟେନଚେରୁ ପୋଲିସ ଘଟଣା ସମ୍ପର୍କରେ କୋକସରା ପୋଲିସକୁ ଜଣାଇଛି। ଏନେଇ କୋକସରା ପୋଲିସ କର୍ମଚାରୀ ପରିବାର ଲୋକଙ୍କୁ ଅବଗତ କରାଇଛନ୍ତି। ବର୍ତ୍ତମାନ ପରିବାର ଲୋକେ ମୃତଦେହ ଗାଁକୁ ଆଣିବାକୁ ଅସମର୍ଥ ପ୍ରକାଶ କରିଛନ୍ତି। ଏଭଳିସ୍ଥିତିରେ ପରିବାର ଲୋକେ ରବିବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀଙ୍କୁ ଭେଟି ଘଟଣା ସମ୍ପର୍କରେ ଜଣାଇବା ସହ ମୃତଦେହ ଗାଁକୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି। ଏନେଇ ବିଧାୟକ ଜିଲା ପ୍ରଶାସନ ଏବଂ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରି ହାଇଦ୍ରାବାଦରୁ ମୃତଦେହ ଆଣିବାକୁ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି।