Advertisement

କେରଳରେ ଓଡ଼ିଆ ଡାକ୍ତର ନିଖୋଜ

ଚୌଦ୍ୱାର,୩୧ା୭(ଆଶୁତୋଷ ଦାସ): କେରଳ ବୁଲିବାକୁ ଯାଇଥିଲେ ୨ ଓଡ଼ିଆ ଡାକ୍ତର ଓ ସେମାନଙ୍କ ସ୍ତ୍ରୀ। ହେଲେ ସେଠାରେ ଘଟିଥିବା ଭୂସ୍ଖଳନରେ ଡାକ୍ତର ଦ୍ୱୟ ନିଖୋଜ ହୋଇଯାଇଥିବାବେଳେ ସେମାନଙ୍କ ସ୍ତ୍ରୀ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ନିଖୋଜ ଡାକ୍ତରଙ୍କୁ ଉଦ୍ଧାର କରିବା ପାଇଁ ପରିବାର ଲୋକେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, କଟକ ଜିଲା ଚୌଦ୍ୱାରସ୍ଥିତ ହାଉସିଂ ବୋର୍ଡ ଅଞ୍ଚଳରେ ରହୁଥିବା ହାଇଟେକ୍‌ ମେଡିକାଲର ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରା, ସ୍ତ୍ରୀ ତଥା ଡ୍ରିମ୍ସ କଲେଜ ଅଧ୍ୟାପିକା ପ୍ରିୟଦର୍ଶିନୀ, ଡା.ସ୍ବାଧୀନ ପଣ୍ଡା ଓ ତାଙ୍କ ସ୍ତ୍ରୀ ସ୍ବୀକୃତି ମହାପାତ୍ର ଗତ ୨୬ ତାରିଖରେ ବେଙ୍ଗାଲୁରୁ ଏବଂ କେରଳ ବୁଲିବାକୁ ଯାଇଥିଲେ। କେରଳର ୱାୟନାଡର ଲିନରା ଭିଲ୍ଲାରେ ରାତ୍ରିଯାପନ କରିଥିଲେ। ସୋମବାର ରାତି ପ୍ରାୟ ୨ଟାରେ ଭୂସ୍ଖଳନ ସହ ମାଟି ମିଶା ପାଣି ଜନବସତି ଅଞ୍ଚଳକୁ ମାଡ଼ି ଆସିଥିଲା। ଏନେଇ ବିଷ୍ଣୁଙ୍କ ବାପା ତଥା ପ୍ରତିରକ୍ଷା ବିଭାଗର ଅବସରପ୍ରାପ୍ତ କର୍ମଚାରୀ ପ୍ରମୋଦ କୁମାର ଚିନାରା କହିଛନ୍ତି, ରାତି ପ୍ରାୟ ୨ଟାରେ ବନ୍ୟାପାଣି ମାଡ଼ି ଆସିଲା। ଏହାପରଠାରୁ ବିଷ୍ଣୁଙ୍କ ପତ୍ତା ମିଳୁନି। ପ୍ରିୟଦର୍ଶିନୀଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ସକାଳ ୬ଟାରେ ଫୋନ୍‌ ଯୋଗେ ଏ ସମ୍ପର୍କରେ ପ୍ରିୟଦର୍ଶିନୀ ମୋତେ ଜଣାଇଥିଲେ। ପରେ ମୁଁ ଏନେଇ ହାଇଟେକ୍‌ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲି। ଚୌଦ୍ୱାର ଥାନା ଆଇଆଇସି ବିଶ୍ୱରଞ୍ଜନ ସାହୁ ବିଷ୍ଣୁଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହିତ ପ୍ରଶାସନିକ ସ୍ତରରେ ସମସ୍ତ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ା ସୂଚନାଯୋଗ୍ୟ, ଡା. ଚିନାରା ୨ ବର୍ଷ ତଳେ ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share