ପୁଣି ଚମକିଲେ ଓଡ଼ିଆ ଝିଅ ମନସ୍ବିନୀ

ଗଞ୍ଜାମ,୨୭ା୯(ବିଦ୍ୟାଧର ସାହୁ): ମୁମ୍ବାଇର ଜାତୀୟ ୟାଚିଂ ସିନିୟର ସେଲିଂ ଚାମ୍ପିୟନଶିପ୍‌ରେ ଗଞ୍ଜାମର ଝିଅ ମନସ୍ବିନୀ ମହାରଣା ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ମନସ୍ବିନୀ ଆର୍‌ଏକ୍ସ ମହିଳା ବର୍ଗରେ ଓଡ଼ିଶା ୟାଚିଂ ଆସୋସିଏଶନ ପକ୍ଷରୁ ଅଂଶଗ୍ରହଣ କରିଥିଲେ। କୋଚ୍‌ ସବୀର ବକ୍ସଙ୍କଠାରୁ ପ୍ରଶିକ୍ଷଣ ନେଉଥିବା ମନସ୍ବିନୀ ଉକ୍ତ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରି ସ୍ବର୍ଣ୍ଣ ଜିତିବାରେ ସଫଳ ହୋଇଛନ୍ତି। ସ୍ବର୍ଣ୍ଣପଦକ ପାଇବା ବେଳେ ଓଡ଼ିଶାରୁ ପର୍ଯ୍ୟବେକ୍ଷକ ଭାବେ କ୍ରୀଡ଼ା ଓ ଯୁବ ସେବା ବିଭାଗର ଶୈଳେନ୍ଦ୍ର ଜେନା ଉପସ୍ଥିତ ଥିଲେ ମନସ୍ବିନୀ ହେଉଛନ୍ତି ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ ପଣିବନ୍ଧ ଗ୍ରାମର ଭାସ୍କର ମହାରଣାଙ୍କ ଝିଅ। ବାପା ବୃତ୍ତିରେ ଜଣେ କାରିଗର। ମା’ ପ୍ରମିଳା ଗୃହିଣୀ।  ସାଧାରଣ ଗରିବ ପରିବାରରୁ ଆସିଥିବା ମନସ୍ବିନୀଙ୍କୁ ଅର୍ଥ ବାଧକ ସାଜିବାରୁ ଅଧାରୁ ପାଠପଢ଼l ଛାଡ଼ି ଦେଇଥିଲେ। ହେଲେ ଅଧା ପାଠ ପଢା ଛାଡ଼ି ଉଚ୍ଚାଭିଳାଷୀ ମନସ୍ବିନୀ ପାଣି ଖେଳକୁଦ ତଥା ପାଣିରେ ପହଁରିବାକୁ ଭଲ ପାଉଥିଲେ। ଏମିତି ଖେଳୁ ଖେଳୁ ବିଣ୍ଡ୍‌ସର୍ଫିଙ୍ଗ ଖେଳ ପ୍ରତି ଆଗ୍ରହ ବଢିଥିଲା। ମାତ୍ର ୧୪ ବର୍ଷ ବୟସରେ ଏହି ଓଡ଼ିଆ ଝିଅ ସେଥିରେ ପାଦ ଦେଇଥିଲେ। ଇତିମଧ୍ୟରେ ସେ ଅନେକ ଜାତୀୟ ବିଣ୍ଡସର୍ଫିଙ୍ଗ ପ୍ରତିଯୋଗିତାରେ ଭାଗ ନେଇ ସ୍ବର୍ଣ୍ଣ ପଦକ ଓ ଟାଇଟଲ ଜିତି ଓଡ଼ିଶା ପାଇଁ ଗର୍ବ ପାଲଟିଛନ୍ତି। ୨୦୧୧-୧୨ରେ ଗୋଆର ଏକ ଜାତୀୟସ୍ତରର ପ୍ରତିଯୋଗିତାରେ ପ୍ରଥମ ସ୍ବର୍ଣ୍ଣପଦକ ପାଇଥିବା ବେଳେ ୨୦୧୩ରେ ପୁଣି ଗୋଆରେ ସମସ୍ତ ୧୨ଟି ରେସ୍‌ରେ ସ୍ବର୍ଣ୍ଣ ପଦକ ୨୦୧୪ରେ ଡୋନାପୋଲରେ ଜାତୀୟ ଚାମ୍ପିୟନଶିପ୍‌ରେ ପ୍ରଥମ ସ୍ଥାନ, ୨୦୧୫ରେ ରାମେଶ୍ୱର ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ରୌପ୍ୟ ଏବଂ ସେହି ବର୍ଷ ବ୍ୟାଙ୍କିଂ ଓପନିଂ ସେଲିଂ ଚାମ୍ପିୟନ୍‌ଶିପ୍‌ରେ ଗୋଲ୍ଡ ମେଡାଲ ପାଇସାରିଛନ୍ତି ମନସ୍ବିନୀ। ଏଥିପାଇଁ ଏହି ଦୁଃସାହସିକ କ୍ରୀଡ଼ା ବିଜୟିନୀ ମନସ୍ବିନୀଙ୍କୁ ଓଡ଼ିଶା ଗୌରବ ପୁରସ୍କାର ପ୍ରଦାନ କରାଯାଇଛି।