ଓଡ଼ିଆ ସାମ୍ବାଦିକତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଆସିଛି ‘ପତ୍ରିକା’। ହାତଲେଖା ପତ୍ରିକାରୁ ଆରମ୍ଭ ହୋଇଥିଲା ଏହାର ଯାତ୍ରା। କଟକ ଚୌଦ୍ୱାର ନିକଟସ୍ଥ କୁବିଜର ମଠର ମହନ୍ତ ସାଧୁସୁନ୍ଦର ଦାସ ୧୭୬୯ରେ ‘କୁଜିବର ପତ୍ର’ ନାମରେ ଏକ ହାତଲେଖା ପତ୍ରିକା ଆରମ୍ଭ କରିଥିଲେ। ସେତେବେଳେ ସାଧାରଣ ଲୋକଙ୍କୁ ସାମ୍ପ୍ରତିକ ସାମାଜିକ ଅବସ୍ଥା ଓ ଓଡ଼ିଆ ଭାଷା ସମ୍ପର୍କରେ ଅବଗତ କରିବା ଉଦ୍ଦେଶ୍ୟରେ ଏହା ଆରମ୍ଭ ହୋଇଥିଲା । ସମୟ କ୍ରମେ ଏହା ଏବେ ଡିଜିଟାଲରେ ପହଞ୍ଚିଛି ସତ, ହେଲେ କୁଜିବର ପତ୍ର ତା’ର ସ୍ବର୍ଣ୍ଣିମ ଇତିହାସ ବହନ କରିଚାଲିଛି। କୁଜିବର ପତ୍ର ପରେ ପ୍ରଥମ ଛାପା ପତ୍ରିକା ଭାବେ ୧୮୪୯ରେ ଜ୍ଞାନାରୁଣ ପ୍ରକାଶ ପାଇଥିଲା। ପରେ ୧୮୫୬ରେ ପ୍ରବୋଧ ଚନ୍ଦ୍ରିକା ଏବଂ ୧୮୬୧ ଅରୁଣୋଦୟ ନାମରେ ପତ୍ରିକା ପ୍ରକାଶିତ ହୋଇଥିଲା। ହେଲେ ଏହା ଅଧିକଦିନ ପର୍ଯ୍ୟନ୍ତ ଚାଲିପାରି ନ ଥିଲା। ମାତ୍ର ୩ ବର୍ଷ ମଧ୍ୟରେ ବିଭିନ୍ନ କାରଣରୁ ଉକ୍ତ ୩ଟି ପତ୍ରିକାର ପ୍ରକାଶନ ବନ୍ଦ ହୋଇଯାଇଥିଲା। ପରେ ୧୮୭୩ରେ ଉତ୍କଳ ଦର୍ପଣ ନାମରେ ମାସିକ ପତ୍ରିକା ବାଲେଶ୍ୱରରୁ ପ୍ରକାଶିତ ହୋଇଥିଲା। ଓଡ଼ିଆ ଭାଷାରେ ଏହା ପ୍ରଥମ ସାହିତ୍ୟ ମାଗାଜିନ୍। ଏହାପରେ ୧୮୭୮ରେ ଉତ୍କଳ ମଧୁପ, ୧୮୮୫ରେ ପ୍ରଦୀପ ପତ୍ରିକା ଖୁବ୍ କମ୍ ଦିନ ପାଇଁ ବାହାରିଥିଲା। ୧୮୯୭ରେ ପ୍ରକାଶିତ ଉତ୍କଳ ସାହିତ୍ୟ ପତ୍ରିକା ଓଡ଼ିଆ ସାହିତ୍ୟରେ ଏକ ନୂଆ ଯୁଗ ଆରମ୍ଭ କରିଥିଲା। ପରବର୍ତ୍ତୀ ସମୟରେ ଏକାଧିକ ମାଗାଜିନ୍ ପ୍ରକାଶ ପାଇବାରେ ଲାଗିଲା। ୧୯୦୬ରେ ମୁକୁର, ୧୯୧୫ରେ ସତ୍ୟବାଦୀ, ୧୯୨୦ରେ ସାହାକାର, ୧୯୩୪ରେ ନବଭାରତ ଆଦି ପତ୍ରିକା ଓଡ଼ିଆ ଭାଷା ଓ ସାହିତ୍ୟକୁ ରୁଦ୍ଧିମନ୍ତ କରିବାରେ ବେଶ୍ ସହାୟକ ହୋଇଥିଲା।
ସେଦିନ ଥିଲା ୧୯୬୬ ମସିହା ଅଗଷ୍ଟ ୪। ଓଡ଼ିଆ ସାମ୍ବାଦିକତା ପାଇଁ ଗୌରବର ଦିନ॥ ଓଡ଼ିଶାର ପ୍ରଥମ ଓଡ଼ିଆ ଖବର କାଗଜଭାବେ ‘ଉତ୍କଳ ଦୀପିକା’ ଆମତ୍ପ୍ରକାଶ କରିଥିଲା। ଗୌରୀଶଙ୍କର ରାୟ ଏହାର ପ୍ରଥମ ସମ୍ପାଦକ ଥିଲେ। ପ୍ରଥମେ ଏହା ସାପ୍ତାହିକ ଏବଂ ପରବର୍ତ୍ତୀ ସମୟରେ ଦୈନିକ ଭାବେ ପ୍ରକାଶିତ ହୋଇଥିଲା। ଗୌରୀଶଙ୍କର ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ବିଚିତ୍ରାନନ୍ଦ ଦାସଙ୍କ ଉଦ୍ୟମରେ କଟକଠାରେ ପ୍ରତିଷ୍ଠିତ କଟକ ପ୍ରିଣ୍ଟିଂ କମ୍ପାନୀରୁ ଏହି ଖବର କାଗଜ ପ୍ରକାଶ ପାଉଥିଲା। ଉତ୍କଳ ଦୀପିକା ତତ୍କାଳୀନ ସାମାଜିକ ତଥା ରାଜନୈତିକ କ୍ଷେତ୍ରରେ ନୂତନ ଦିଗଦର୍ଶନ ଦେବା ସହ ଓଡ଼ିଆମାନଙ୍କ ସ୍ବାର୍ଥରକ୍ଷା ପାଇଁ ସରକାରଙ୍କ ପାଖରେ ଦୃଢ଼ ଦାବି ଉପସ୍ଥାପିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ବାଲ୍ୟବିବାହ ପରି ଘୃଣ୍ୟ ପ୍ରଥା ବିରୋଧରେ ମଧ୍ୟ ସ୍ବର ଉତ୍ତୋଳନ କରି ସାମାଜିକ ସଂସ୍କାର ପାଇଁ ଏହି ଖବର କାଗଜ ଉଦ୍ୟମ କରିଥିଲା। ଉତ୍କଳ ଦୀପିକାର ସଫଳତା ଓଡ଼ିଶାରେ ଖବର କାଗଜ ପ୍ରକାଶନର ଧାରା ସୃଷ୍ଟି କରିଥିଲା। ତେଣୁ ପ୍ରତିବର୍ଷ ଅଗଷ୍ଟ ୪କୁ ଓଡ଼ିଆ ସାମ୍ବାଦିକ ଦିବସ ଭାବେ ପାଳନ କରାଯାଇଥାଏ।