ଖ୍ରୀଷ୍ଟାବ୍ଦ ଦଶମ ଓ ଏକାଦଶ ଶତାବ୍ଦୀରେ ସୋମବଂଶୀ ଶାସକ ଏବଂ କାଳକ୍ରମେ ଗଙ୍ଗ ଶାସକଙ୍କ ଅଭିଲେଖାରେ ପ୍ରନତ୍-ନାଗରୀ ପ୍ରଭାବ ଦେଖିବାକୁ ମିଳେ। ଏହି ସମୟରେ ଅକ୍ଷରଗୁଡ଼ିକ ବୃତ୍ତଳ ଏବଂ ପରସ୍ପର ସଂଯୁକ୍ତ। କିନ୍ତୁ ପ୍ରାୟ ୧୩ଶହ ଶତାବ୍ଦୀ ବେଳକୁ ଏହାର ପ୍ରଭାବ ଧୀରେ ଧୀରେ ଲୋପ ପାଇବାକୁ ଲାଗିଲା। ସେହି ସମୟରେ ପ୍ରନତ୍ ଓଡ଼ିଆ ଏବଂ ଓଡ଼ିଆ ଲିପିର ଅଭ୍ୟୁଦୟ ଘଟିଲା। ଖ୍ରୀଷ୍ଟାବ୍ଦ ୧୪ଶହ ଶତାବ୍ଦୀରେ ଓଡ଼ିଆ ଭାଷା ରାଜକୀୟ ଶାସନ କାର୍ଯ୍ୟରେ ବ୍ୟବହୃତ ହେଲା। ଗଙ୍ଗ ବଂଶୀୟ ରାଜା ଚତୁର୍ଥ ନରସିଂହ ଦେବଙ୍କ କେନ୍ଦୁଲି ତାମ୍ରଶାସନ ଏବଂ ପୁରୀ ଶଙ୍କରାନନ୍ଦ ମଠର ତାମ୍ର ଶାସନ ଏହାର ପ୍ରକୃଷ୍ଟ ଉଦାହରଣ। ଖ୍ରୀଷ୍ଟାବ୍ଦ ୧୫ଶହ ଶତାବ୍ଦୀରେ ସୂର୍ଯ୍ୟ ବଂଶୀୟ ରାଜାମାନେ ଓଡ଼ିଆ ଲିପି ଓ ଭାଷାର ପ୍ରସାର ଘଟାଇଥିଲେ। ଏହି ବଂଶର ଶାସକମାନେ ଓଡ଼ିଆ ଭାଷାର ସମ୍ମାନ ଓ ଉତ୍ତରୋତ୍ତର ବୃଦ୍ଧି ଘଟାଇଥିଲେ। ଓଡ଼ିଶାର ମହାକବି ସୁଦ୍ରମୁନି ଶାରଳା ଦାସ ଏହି ସମୟରେ ମହାଭାରତକୁ ଓଡ଼ିଆ ଭାଷାରେ ରଚନା କରିଥିଲେ ବୋଲି ରାଜ୍ୟ ସଂଗ୍ରହାଳୟର ସଂଗ୍ରହାଧ୍ୟକ୍ଷ ଡ. ଭାରତୀ ପଲ୍ କହିଛନ୍ତି।