Categories: ଖେଳ

ମହାରାଷ୍ଟ୍ର ପାଇଁ ଗୌରବ ଆଣିଲେ ଓଡ଼ିଆ ପୁଅ

ଭୁବନେଶ୍ୱର, ୨୧।୮(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ରବିବାର ଶେଷ ହୋଇଛି ଜାତୀୟ ଜୁନିୟର ଓ ସବ୍‌ଜୁନିୟର ଆକ୍ୱାଟିକ୍‌ ଚାମ୍ପିୟନଶିପ୍‌। ଗତ ୧୬ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଗା ପ୍ରତିଯୋଗିତାରେ ୨୫ ରାଜ୍ୟ ଓ ଅନୁଷ୍ଠାନରୁ ୯୦୦ରୁ ଊର୍ଦ୍ଧ୍ୱ ସନ୍ତରଣକାରୀ ଅଂଶଗ୍ରହଣ କରିଥିଲେ। ଏଥିରେ ଓଡ଼ିଶାରୁ ୩୨ ସନ୍ତରଣକାରୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ୧୫ ମହିଳା ଓ ୧୭ ପୁରୁଷ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ପ୍ରତିଯୋଗୀ ପଦକ ଜିତିବାରେ ସକ୍ଷମ ହୋଇନାହାନ୍ତି। ତେବେ ମହାରାଷ୍ଟ୍ର ପାଇଁ ଗୌରବ ଆଣିଛନ୍ତି ଜଣେ ଓଡ଼ିଆ ଖେଳାଳି। ସେ ହେଉଛନ୍ତି ରିଷଭ ଦାସ। ରିଷଭ କେବଳ ଯେ ପଦକ ହାସଲ କରିଛନ୍ତି ତା’ ନୁହେଁ ଭାଗ ନେଇଥିବା ୮ ଇଭେଣ୍ଟରୁ ୭ଟି ପଦକ ଜିତି ଏକପ୍ରକାର ସୁଇପ୍‌ କରିଛନ୍ତି କହିଲେ ଭୁଲ ହେବନି।
ରିଷଭଙ୍କ ଘର କଟକରେ। ତାଙ୍କ ମା’ଙ୍କ ନାମ ପ୍ରଜ୍ଞା ଓ ବାପା ଅନୁପମ ଦାସ। ପରିବାର ସହ ପିଲାଟି ଦିନରୁ ନଭି ମୁମ୍ବାଇରେ ରହୁଥିବା ମହାରାଷ୍ଟ୍ର ରାଜ୍ୟ ପକ୍ଷରୁ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଆସୁଛନ୍ତି। ୧୬ ବର୍ଷୀୟ ରିଷଭ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ୫ଟି ସ୍ବର୍ଣ୍ଣ ଏବଂ ୨ଟି ରୌପ୍ୟ ପଦକ ହାସଲ କରିଛନ୍ତି। ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌, ୧୦୦ ମିଟର ଫ୍ରିଷ୍ଟାଇଲ, ୨୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌, ୧୦୦ ମିଟର ଫ୍ରିଷ୍ଟାଇଲ ରିଲେ ଏବଂ ୨୦୦ ମିଟର ଫ୍ରିଷ୍ଟାଇଲ୍‌ ରିଲେରେ ସେ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ଏହା ବ୍ୟତୀତ ୫୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ଏବଂ ୧୦୦ ମିଟର ମିଡ୍‌ଲେ ରିଲେରେ ସେ ରୌପ୍ୟ ପଦକ ହାସଲ କରିଛନ୍ତି। କେବଳ ୫୦ ମିଟର ମିଡ୍‌ଲେ ଇଭେଣ୍ଟରେ ସେ ପଦକ ମିସ୍‌ କରିଥିଲେ। ରିଷଭ ସମ୍ପ୍ରତି ମହାରାଷ୍ଟ୍ରର ଭାଶିସ୍ଥିତ ଅଗ୍‌ନେଲ ମଲ୍ଟିପର୍ପୋସ ସ୍କୁଲ୍‌ର ୧୦ମ ଷ୍ଟାଣ୍ଡାର୍ଡର ଛାତ୍ର। ଶିବ ଛତ୍ରପତି ପୁରସ୍କାରପ୍ରାପ୍ତ କୋଚ୍‌ ଗୋକୁଳ କାମାଥ ଓ ରୁତୁଜା ଉଦେଶିଙ୍କଠାରୁ ସେ ପ୍ରଶିକ୍ଷଣପ୍ରାପ୍ତ।
୧୪ ବର୍ଷର ହୋଇଥିବାବେଳେ ରିଷଭ ୨୦୨୧ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ପାଇଁ ମନୋନୀତ ହୋଇଥିଲେ। ସେଥିରେ ସେ ୧୮ ବର୍ଷରୁ କମ୍‌ ବର୍ଗରେ ଗୋଟିଏ ଲେଖାଏ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଥିଲେ। ସେଠାରେ ସେ ଭାରତର ସର୍ବକନିଷ୍ଠ ଖେଲୋ ଇଣ୍ଡିଆ ପଦକ ବିଜେତା ହୋଇଥିଲେ। ୨୦୨୨ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସରେ ସେ ୨ ସ୍ବର୍ଣ୍ଣ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିଲେ। କଳିଙ୍ଗ ଷ୍ଟାଡିୟମର ନବନିର୍ମିତ ଆକ୍ୱାଟିକ୍‌ ସେଣ୍ଟରରେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ରିଷଭ। ଏଠାକାର ଭିତ୍ତିଭୂମି ଏବଂ ସୁବିଧା ସୁଯୋଗରେ ସେ ଅଭିଭୂତ। ଏଥିପାଇଁ ସେ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି। ୨୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ୨:୦୬. ୧୩ ସେକେଣ୍ଡ ସମୟ ନେଇଥିବା ରିଷଭ ଶ୍ରେଷ୍ଠ ସନ୍ତରଣକାରୀ ବିବେଚିତ ହୋଇଛନ୍ତି।

Share