ଚିକିଟି,୧୫ା୬(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ୍ କଳବାଡ଼ ପଞ୍ଚାୟତ ଅଧୀନ ପାରସମା ଗ୍ରାମ କୁମ୍ଭାର ସାହିର ଜଣେ ଶ୍ରମିକଙ୍କ ଗୁଜରାଟ ସୁରଟରେ ମୃତ୍ୟୁ ଘଟିଛି। ସେ ହେଲେ ସନ୍ତୋଷ କୁମାର ବେହେରା(୪୨)। ସନ୍ତୋଷ ୮ ବର୍ଷ ହେଲା ସୁରଟର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ୩ ମାସ ତଳେ ଅସୁସ୍ଥତା କାରଣରୁ ଗ୍ରାମକୁ ଆସି ସେ ଚିକିତ୍ସିତ ହୋଇଥିଲେ। ସୁସ୍ଥ ହେବାରୁ ମାସକ ପରେ ପୁଣି ସୁରଟ ଯାଇ କାର୍ଯ୍ୟରେ ଯୋଗଦେଇଥିଲେ ା ପ୍ରତିଦିନ ଭଳି ମଙ୍ଗଳବାର କମ୍ପାନୀରେ କାମ ସାରି ରହୁଥିବା ଘରକୁ ଆସିଥିଲେ। ହେଲେ ବୁଧବାର କାମକୁ ନ ଆସିବାରୁ କମ୍ପାନୀ ମାଲିକ ତାଙ୍କୁ ଖୋଜିବାକୁ ଘରକୁ ଯାଇଥିଲେ। ସେତିକିବେଳେ ସନ୍ତୋଷଙ୍କ ମୃତଦେହ ପଡିଥିବା ଦେଖିଥିଲେ। ଏନେଇ କମ୍ପାନୀ ମାଲିକ ସ୍ଥାନୀୟ ପୋଲିସକୁ ଜଣାଇଥିଲେ। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରାଇ ସନ୍ତୋଷଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା। ପରବାର ଲୋକଙ୍କ ଆର୍ଥିକ ସ୍ବଚ୍ଛଳ ନ ଥିବା ଯୋଗୁ ମୃତଦେହକୁ ଅଣା ନ ଯାଇ ସେଠାରେ ସତ୍କାର କରାଯାଇଛି। ଅନ୍ୟପକ୍ଷେ କମ୍ପାନୀ ପକ୍ଷରୁ ସନ୍ତୋଷଙ୍କ ପରିବାର ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।