କେରଳରେ ସଡ଼କ ଦୁର୍ଘଟଣାରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ରାଇକିଆ,୧୪ା୨(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ପେଟାପାଙ୍ଗା ପଞ୍ଚାୟତ ଡାମ୍ବାକିଆ ଗ୍ରାମର ଯାଦବ ନାୟକ (୨୭)ଙ୍କର କେରଳରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ୮ ବର୍ଷ ହେଲା କେରଳର ଏର୍ନାକୁଲୋମ ଜିଲା ପେରୂମବାବର୍‌ ଅଞ୍ଚଳରେ ପ୍ଲାଏ କମ୍ପାନୀରେ କାମ କରୁଥିଲେ। ଗତ ୧୨ ତାରିଖ ରେ ରାସ୍ତା ପାର୍‌ ହେଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣା ବିଷୟରେ ପରିବାର ଓ ସେଠାରେ ଥିବା ଅନ୍ୟ ସମ୍ପର୍କୀୟ ଲୋକମାନଙ୍କୁ ସୂଚନା ଦିଆଯାଇଥିଲା। ସେଠାରେ ଯେଉଁ କମ୍ପାନୀରେ କାମ କରୁଥିଲେ ସେହି କମ୍ପାନୀ ମାଲିକ ଘଟଣା ବିଷୟରେ ଜାଣିବା ପରେ ମୃତଦେହକୁ ଓଡ଼ିଶାକୁ ପଠାଇବା ନିମନ୍ତେ ବ୍ୟବସ୍ଥା କରିଥିଲେ। ପେଟାପାଙ୍ଗା ସରପଞ୍ଚଙ୍କ ସହଯୋଗରେ ଶୋକାକୁଳ ପରିବେଶରେ ମୃତଦେହ ସତ୍କାର କରାଯାଇଛି। ଯାଦବ ନାୟକ ବିବାହିତ ଏବଂ ତାଙ୍କର ଦୁଇଟି ପୁତ୍ର ସନ୍ତାନ ଅଛନ୍ତି। ଜଣେ ୯ ବର୍ଷର ପୁଅ ହୋଇଥିବା ବେଳେ ଅନ୍ୟ ଜଣେ ୭ ବର୍ଷର ପୁଅ। ସ୍ତ୍ରୀ ଅନ୍ୟତ୍ର ରହୁଥିବା ବେଳେ ଦୁଇ ପୁଅ ମୃତକଙ୍କ ବୃଦ୍ଧ ମାତାପିତାଙ୍କ ନିକଟରେ ରହି ପାଠ ପଢୁଛନ୍ତି।

Share