Categories: ଖେଳ

ଜାତୀୟ ଜୁନିୟର ହ୍ୟାଣ୍ଡବଲ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଆ ପୁଅ ସତ୍ୟଜିତ୍‌

ଧାମନଗର,୮।୧(ଦେବେନ୍ଦ୍ର ଆନ୍ଦିଆ): ଜାତୀୟସ୍ତରରେ ଜୁନିୟର ହ୍ୟାଣ୍ଡବଲ୍‌ ଚାମ୍ପିୟନଶିପ୍‌ରେ ଭାଗ ନେବା ପାଇଁ ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଦେହୁଡ଼ି ଆନନ୍ଦପୁର ପଞ୍ଚାୟତର ସତ୍ୟଜିତ ପାଗଳ(୧୬) ମନୋନୀତ ହୋଇଛନ୍ତି। ମଙ୍ଗଳବାରଠାରୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନରେ ନ୍ୟାଶନାଲ ଜୁନିୟର ହ୍ୟାଣ୍ଡବଲ ଚାମ୍ପିୟନଶିପରେ ଓଡ଼ିଶାରୁ ୧୬ଜଣ ଭାଗ ନେଉଥିବା ବେଳେ ଭଦ୍ରକ ଜିଲାରୁ ଏକମାତ୍ର ଖେଳାଳି ଭାବେ ସତ୍ୟଜିତ ସ୍ଥାନ ପାଇଛନ୍ତି।
ଦେହୁଡ଼ି ଆନନ୍ଦପୁର ପଞ୍ଚାୟତ ପାହାଡ଼ପୁର ଗ୍ରାମର ମନୋରମା ପାଗଳ ଓ ନିରଞ୍ଜନ ପାଗଳଙ୍କ ପୁଅ ସତ୍ୟଜିତ। ବାପା ନିରଞ୍ଜନ ଜଣେ ଦିନମଜୁରିଆ। କୋଚ୍‌ ଭାବେ ଜ୍ଞାନ ରଞ୍ଜନ ବେହେରା ଓ ଦିବ୍ୟଜ୍ୟୋତି ଦାସଙ୍କ ତତ୍ତ୍ୱାବଧାନରେ ସତ୍ୟଜିତ ଅଭ୍ୟାସ ଜାରି ରଖିଛନ୍ତି। ନ୍ୟାଶନାଲ ଜୁନିୟର ହ୍ୟାଣ୍ଡବଲ ଚାମ୍ପିୟନଶିପ୍‌ରେ ଖେଳିବା ଲାଗି ମନୋନୀତ ହୋଇଥିବାରୁ ଆନନ୍ଦପୁର ସ୍ପୋର୍ଟସ ଆସୋସିଏଶନ ପକ୍ଷରୁ ଆନନ୍ଦପୁର ଖେଳପଡ଼ିଆଠାରେ ସତ୍ୟଜିତଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।
ଅବସରପ୍ରାପ୍ତ ଖେଳ ଶିକ୍ଷକ ବୃନ୍ଦାବନ ମହାନ୍ତିଙ୍କ ସଭାପତିତ୍ୱରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଧ୍ୟାପକ ହିମାଂଶୁ ଶେଖର ଦାଶ, ଗଦାଧର ସାହୁ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତ୍ରିଲୋଚନ ବେହେରା, ହୃଦାନନ୍ଦ କର, ସିଦ୍ଧେଶ୍ବର ସାମଲ, ଯାଜପୁର ଏବିଇଓ ମନୋଜ କୁମାର ଜେନା, ମାନଗୋବିନ୍ଦ ଦାସ, ପଦ୍ମନାଭ ଦାସ, ଦୋଳଗୋବିନ୍ଦ ବେହେରା, ନାରାୟଣ ଦାସ, ରମେଶ ପୃଷ୍ଟି ପ୍ରମୁଖ ଯୋଗଦେଇ ସମ୍ବର୍ଦ୍ଧନା ପୂର୍ବକ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେହିପରି ଆନନ୍ଦପୁର ପଞ୍ଚାୟତର ଅନ୍ନପୂର୍ଣ୍ଣା ରଣା ଓଡ଼ିଶାରୁ ବାଳିକା ଜୁନିୟର ଖୋ ଖୋ ଜାତୀୟସ୍ତରରେ ପ୍ରତିନିଧିତ୍ୱ କରି ଖେଳିଥିଲେ। ଏହି ଅବସରରେ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।
Share