ପ୍ରଥମ ପର୍ଯ୍ୟାୟ: ଲୋକ ସଭା ପାଇଁ ୭୫.୧୭%, ବିଧାନସଭା ପାଇଁ ୭୪.୬୫% ମତଦାନ

ଭୁବନେଶ୍ୱର,୧୪ା୫(ଅନିଲ ଦାସ)-ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ମତଦାନ କେନ୍ଦ୍ରରୁ ଇଭିଏମ୍‌ଗୁଡ଼ିକୁ ଅଣାଯାଇ କଡ଼ା ସୁରକ୍ଷା ବଳୟରେ ଷ୍ଟ୍ରଙ୍ଗ୍‌ରୁମ୍‌ରେ ରଖାଯାଇଛି। ସୋମବାର ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକ ସଭା ଆସନ ଓ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ହୋଇଛି।

ଭାରତର ନିର୍ବାଚନ କମିଶନଙ୍କ ଟର୍ନ ଆଉଟ ଆପ୍‌ ସୂଚନା ଅନୁଯାୟୀ, ଏହି ପର୍ଯ୍ୟାୟରେ ମଙ୍ଗଳବାର ରାତି ୧୦ଟା ସୁଦ୍ଧା ଲୋକ ସଭା ପାଇଁ ମୋଟ ମତଦାନ ହାର ୭୫.୧୭ ପ୍ରତିଶତ ହୋଇଥିବା ବେଳେ ବିଧାନସଭା ପାଇଁ ମୋଟ ୭୪.୬୫ ପ୍ରତିଶତ ହୋଇଛି।

ନବରଙ୍ଗପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ସର୍ବାଧିକ ୮୫.୬୩ ପ୍ରତିଶତ ମତଦାନ ହୋଇଛି। ଏହି ପର୍ଯ୍ୟାୟରେ ଲୋକ ସଭା ଆସନ ପାଇଁ କୋରାପୁଟରୁ ୧୧ ଜଣ, ନବରଙ୍ଗପୁରରୁ ୪, କଳାହାଣ୍ଡିରୁ ୧୧, ବ୍ରହ୍ମପୁରରୁ ୧୧ ଜଣ ପ୍ରାର୍ଥୀଙ୍କ ସମେତ ୨୮ ବିଧାନସଭାରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍‌ ହୋଇଛି।