ଆରମ୍ଭ ହେଲା ବିଧାନସଭା: ଅଭିଭାଷଣ ରଖିଲେ ରାଜ୍ୟପାଳ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ବିଧାନସଭାର ବଜେଟ ଅଧିବେଶନ ଗୁରୁବାରଠାରୁ ଆରମ୍ଭ ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ବିରୋଧି କଂଗ୍ରେସ ସଦସ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିବା ସହ କକ୍ଷତ୍ୟାଗ କରିଥିଲେ। ତେବେ ପରେ ରାଜ୍ୟପାଳ ନିଜ ଅଭିଭାଷଣରେ କହିଛନ୍ତି, କରୋନା ନିୟନ୍ତ୍ରଣରେ ରାଜ୍ୟ ସରକାରଙ୍କ ଭୂମିକା ପ୍ରଶଂସନୀୟ। କରୋନା ବେଳେ ଅଙ୍ଗନଓ୍ବାଡି ଦ୍ୱାରା ପିଲାଙ୍କ ପୃଷ୍ଟିସାଧନ ହୋଇଛି । ଏହାଛଡ଼ା ଜନସ୍ବାସ୍ଥ୍ୟ ଓ ସମସ୍ୟା ଦୂର ଉପରେ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। କରୋନା ମହାମାରୀ ସତ୍ତ୍ୱେ ପିଲାଙ୍କ ପାଠପଢ଼ା ବ୍ୟାହାତ ହୋଇନାହିଁ। ଶିକ୍ଷା ସଂଯୋଗ, ଦୀକ୍ଷା ଆପ୍‌, ଶିକ୍ଷା ଦର୍ପଣ ପଦ୍ଧତି ଅବଲମ୍ବନ କରାଯାଉଛି। ୨୪ ଘଣ୍ଟିଆ ବିଦ୍ୟୁତ୍‌ ସେବା ଯୋଗାଇବା ଲାଗି ସରକାର ପ୍ରତିବଦ୍ଧ। ଷ୍ଟାଟ୍‌-ଅପ୍‌ ଉନ୍ନତି ପାଇଁ ଷ୍ଟାର୍ଟ ଅପ୍‌ ଓଡ଼ିଶା ଉପକ୍ରମ ଆରମ୍ଭ ହୋଇଛି। ସୁନ୍ଦରଗଡ଼ରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ପ୍ରତିଷ୍ଠା କରାଯିବ। ତେବେ ତୃଣମୂଳସ୍ତରରୁ ଖେଳାଳିଙ୍କୁ ପୋତ୍ସାହନ ଦେବା ସରକାରଙ୍କ ଉଦ୍ଦେଶ୍ୟ। ୨୦୨୧ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳରୁ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ହେବ ବୋଲି ରାଜ୍ୟପାଳ କହିଛନ୍ତି।

ପ୍ରକାଶ ଯେ, ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରାଜ୍ୟପାଳଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା। ଦିବଂଗତ ପୂର୍ବତନ ସଦସ୍ୟଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳ ଶୋକ ପ୍ରସ୍ତାବ ଆଗତ କରିଥିଲେ। ସହିଦ ଯବାନ ଓ କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୯ ତାରିଖ ଯାଏ ଚାଲିବ। ଫେବୃୟାରୀ ୧୯ ଓ ୨୦ ଦୁଇଦିନ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ହେବ।

Share