ବିଧାନସଭାରେ ଗର୍ଜିଲେ ବିରୋଧୀ, ଅପରାହ୍ନଣ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର,୭।୨: ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ। ବଜେଟ ଅଧିବେଶନର ତୃତୀୟ ଦିନରେ ବି ଚାଲିପାରିଲାନି ଗୃହ । ବୁଧବାର ହଟ୍ଟଗୋଳ, ହୋହଲ୍ଲା ଯୋଗୁଁ ଗୃହ ବାରମ୍ବାର ମୁଲତବୀ ହୋଇଛି । ଗୋଟିଏ ମିନିଟ ବି ପ୍ରଶ୍ନକାଳ ଚାଲିପାରିନି। ଏଥିପାଇଁ ବାଚସ୍ପତି ଗୃହକୁ ଅପରାହ୍ନଣ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି । ପୂର୍ବରୁ ଗୃହ ଆରମ୍ଭରୁ ହୋହଲ୍ଲା ହେବା ଯୋଗୁଁ ଗୃହକୁ ସାଢେ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ ବାଚସ୍ପତି ।

ଅର୍ପଣ ରଥରେ ଉଷୁନା ଚାଉଳ ପ୍ରସଙ୍ଗରେ ବିରୋଧୀ ଭାଜପା ସଦସ୍ୟ ଗୃହରେ ହୋହଲ୍ଲା କରିଥିଲେ । ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ଏହି ପ୍ରସଙ୍ଗ ଉଠାଇଥିଲେ । ପରେ ସମାନ ପ୍ରସଙ୍ଗରେ ହୋହଲ୍ଲା ଯୋଗୁଁ ପୁଣି ସାଢେ ୧୨ଟା ଯାଏ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି । ତେବେ ପୁଣି ସମାନ ପ୍ରସଙ୍ଗରେ ବିରୋଧୀ ଗୃହକୁ ଚଲାଇ ନ ଦେବାରୁ ଦିନ ୪ଟା ଯାଏଁ ବାଚସ୍ପତି ଗୃହକୁ
ମୁଲତବୀ ଘୋଷଣା କରିଛନ୍ତି ।

ସେପଟେ ନୟାଗଡ କୁନି ଝିଅ ପରୀ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଭାଜପା ରାଜନୀତି କରୁଥିବା ଅଭିଯୋଗ କରିଛି ବିଜେଡି । ଏଥିସହ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ଷମା ପ୍ରାର୍ଥନା ଦାବି କରି ଗୃହରେ ହୋହଲ୍ଲା କରିଛି ବିଜେଡି । ବାଚସ୍ପତି ଦିନ ୧୧ଟା ୩୦ ଯାଏ ଗୃହକୁ ମୁଲତବୀ ଘୋଷଣା କରିବା ପରେ ଶାସକ ଦଳର ବିଧାୟକମାନେ ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ ।

Share