ଓଡ଼ିଶାକୁ ‘ଶ୍ରେଷ୍ଠ ମେରାଇନ୍‌ ଷ୍ଟେଟ୍‌’ ଆଓ୍ବାର୍ଡ

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ):ଓଡ଼ିଶାକୁ ମିଳିଛି ‘ଶ୍ରେଷ୍ଠ ମେରାଇନ୍‌ ଷ୍ଟେଟ୍‌’ ଆଓ୍ବାର୍ଡ। କେନ୍ଦ୍ର ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରଣାଳୟ ଓଡ଼ିଶାକୁ ଦେଶର ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟର ମାନ୍ୟତା ଦେଇଛି। ଆସନ୍ତା ୨୧ ତାରିଖ ବିଶ୍ୱ ମତ୍ସ୍ୟ ଦିବସରେ ଆୟୋଜିତ ହେବାକୁ ଥିବା ସ୍ବତନ୍ତ୍ର ଉତ୍ସବରେ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାକୁ ପୁରସ୍କୃତ କରାଯିବ। ଏ ବାବଦରେ କେନ୍ଦ୍ର ସରକାର ୧୦ଲକ୍ଷ ଟଙ୍କାର ପୁରସ୍କାର ରାଶି ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ। ଏହାବାଦ୍‌ କଳାହାଣ୍ଡି ଜିଲାକୁ ଦେଶର ‘ଶ୍ରେଷ୍ଠ ଇନ୍‌ଲାଣ୍ଡ ଜିଲା’ ଭାବେ ପୁରସ୍କୃତ କରାଯିବ। ଏଥିଲାଗି କଳାହାଣ୍ଡିକୁ ୩ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବ। ସୂଚନାଯୋଗ୍ୟ, ଗତ ଅକ୍ଟୋବର ୧୧ରେ ପୁରୀ ଗୋଲ୍‌ଡେନ୍‌ ବିଚ୍‌କୁ ବ୍ଲୁ ଫ୍ଲାଗ୍‌ ବିଚ୍‌ର ମାନ୍ୟତା ମିଳିଛି। ବିଶ୍ୱର ସ୍ବଚ୍ଛ ଓ ନିର୍ମଳ ବିଚ୍‌କୁ ଡେନ୍‌ମାର୍କସ୍ଥିତ ସଂସ୍ଥା ଫାଉଣ୍ଡେଶନ ଅଫ୍‌ ଏନ୍‌ଭାଇରନ୍‌ମେଣ୍ଟାଲ ଏଜୁକେଶନ(ଏଫ୍‌ଇଇ) ପକ୍ଷରୁ ପୁରୀ ସମେତ ଦେଶର ୮ ବିଚ୍‌କୁ ବ୍ଲୁ ଫ୍ଲାଗ୍‌ର ମାନ୍ୟତା ପ୍ରଦାନ କରାଯାଇଛି। ରାଜ୍ୟରେ ୪୮୦ କିମିର ସୁଦୀର୍ଘ ବେଳାଭୂମି ରହିଥିବାବେଳେ ପର୍ଯ୍ୟଟନ ଏବଂ ମତ୍ସ୍ୟ ସମ୍ପଦ କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।

Share