ଓଡ଼ିଶା ‘ଶ୍ରେଷ୍ଠ ରାଜ୍ୟ’

ଭୁବନେଶ୍ୱର, ୮।୧୨(ବ୍ୟୁରୋ): ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଡୋମେଷ୍ଟିକ ଡେଷ୍ଟିନେଶନ୍‌ କାଟାଗୋରୀରେ ଭାରତରେ ଓଡ଼ିଶାକୁ ‘ଶ୍ରେଷ୍ଠ ରାଜ୍ୟ’ ଭାବେ ବିଚାର କରାଯାଇଛି। ଜାତୀୟ ପତ୍ରିକା ‘ଟ୍ରାଭେଲ-ଲିଜର ଇଣ୍ଡିଆ’ ପକ୍ଷରୁ କରାଯାଇଥିବା ସଭେର୍ର୍ ଅନୁଯାୟୀ ଏହି ରିପୋର୍ଟ ପ୍ରକାଶ ପାଇଛି। ଏଥିସହ ମୟୂରଭଞ୍ଜକୁ ସର୍ବୋତ୍ତମ ଅଫବିଟ୍‌ ଡେଷ୍ଟିନେଶନ୍‌ ଭାବେ ମନୋନୀତ କରାଯାଇଛି। ପତ୍ରିକା ଅନୁସାରେ ଓଡିଶା ରହସ୍ୟଜନକ ସ୍ଥାନର ଗନ୍ତାଘର। ଧଉଳିଗିରି, ଲଲିତଗିରି ଏବଂ ଉଦୟଗିରିର ବୌଦ୍ଧ ସ୍ମାରକୀ ଦର୍ଶକଙ୍କୁ ଆକୃଷ୍ଟ କରିଛି। ସ୍ବତନ୍ତ୍ର ଖାଦ୍ୟ ପ୍ରସ୍ତୁତିରେ ଓଡିଶା ଅଦ୍ୱିତୀୟ ବୋଲି ପତ୍ରିକା ଉଲ୍ଲେଖ କରିଛି । ଏଥିରେ ଓଡ଼ିଶାର ପ୍ରସିଦ୍ଧ ପଖାଳ ଓ ଛେନାପୋଡ଼ର ଚର୍ଚ୍ଚା କରାଯାଇଛି । ଚିଲିକା ହ୍ରଦର ବିସ୍ମୟକର ଡଲଫିନ୍‌ ଏବଂ ପ୍ରତିବର୍ଷ ଗହିରମଥା ସମୁଦ୍ରକୂଳରେ ଅଲିଭ୍‌ ରିଡଲେ କଇଁଛ ପ୍ରକୃତିପ୍ରେମୀଙ୍କୁ ଆନନ୍ଦିତ କରିଥାନ୍ତି। ପିପିଲିର ଚାନ୍ଦୁଆ ଓ ପଟ୍ଟଚିତ୍ର ପରି ରାଜ୍ୟର ଆଦିବାସୀ କଳା ଏବଂ ହସ୍ତଶିଳ୍ପ ପ୍ରତି ପାଠକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏଥିସହିତ ଶ୍ରୀମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ସମେତ ଓଡିଶାର ୪୮୦ କିଲୋମିଟର ଦୀର୍ଘ ବେଳାଭୂମି ସମ୍ପର୍କରେ ପତ୍ରିକା ଉଲ୍ଲେଖ କରିଛି। ସେହିପରି ମୟୁରଭଞ୍ଜର ଆଧ୍ୟାତ୍ମିକତା, ବନ୍ୟଜନ୍ତୁ ଏବଂ ପ୍ରାକୃତିକ ଚମକତ୍ାରିତା ପର୍ଯ୍ୟଟକଙ୍କୁ ସ୍ବତନ୍ତ୍ର ଅନୁଭୂତି ପ୍ରଦାନ କରିବ। ବାରିପଦାସ୍ଥିତ ମା’ ଅମ୍ବିକା ମନ୍ଦିର, ୨,୭୫୦ ବର୍ଗ କି.ମି. ପରିମିତ ଶିମିଳିପାଳ ଅଭୟାରଣ୍ୟ, ବ୍ୟାଘ୍ର ପ୍ରକଳ୍ପ ଏବଂ ଭାରତୀୟ ଜାତୀୟ ଉଦ୍ୟାନ ସମେତ ଦେବକୁଣ୍ଡ ଏବଂ ଭୀମକୁଣ୍ଡ ସମ୍ପର୍କରେ ମଧ୍ୟ ଏହି ପତ୍ରିକା ଆଲୋକପାତ କରିଛି। ତେବେ ଶ୍ରେଷ୍ଠ ରାଜ୍ୟ ବର୍ଗରେ ରାଜସ୍ଥାନକୁ ରାଜକୀୟ ଭୂମି ଭାବେ ଅଭିହିତ କରାଯାଇଛି। ସେହିପରି ‘ଶ୍ରେଷ୍ଠ ସବୁଜ ରାଜ୍ୟ’ ବର୍ଗରେ ମେଘାଳୟ ଏବଂ ସିକିମକୁ ମନୋନୀତ କରାଯାଇଛି। ଅନ୍ୟପଟେ ଶ୍ରେଷ୍ଠ ବିବାହସ୍ଥଳ ଭାବେ ଗୋଆ ଏବଂ ରାଜସ୍ଥାନକୁ ମନୋନୀତ କରାଯାଇଛି। ଶ୍ରେଷ୍ଠ ଆଧ୍ୟାମତ୍ିକ ରାଜ୍ୟ ଭାବେ ତାମିଲନାଡ଼ୁ ଓ ଉତ୍ତରପ୍ରଦେଶ, ହନିମୁନ୍‌ ଡେଷ୍ଟିନେଶନ୍‌ ଭାବେ କେରଳ ଓ ହିମାଳଚପ୍ରଦେଶକୁ ଭୋଟ୍‌ ମିଳିଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିବା ସହ ଟୁଇଟ୍‌ କରି ରାଜ୍ୟ ପର୍ଯ୍ୟଟନ ବିଭାଗକୁ ଶୁଭେଚ୍ଛା ଜଣାଇଛନ୍ତି।

Share