‘ଫୋନ୍‌ରେ ଧମକ ଦେଉଛନ୍ତି ପ୍ରଶାନ୍ତ ଜଗଦ୍ଦେବ’

ଭୁବନେଶ୍ୱର,୮।୫: ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ପୁଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି ବିଜେଡି। ବୁଧବାର ବିଜେଡିର ଏକ ପ୍ରତିନିଧି ଦଳ ଆସି ସିଇଓଙ୍କୁ ଭେଟିଛନ୍ତି। ମଙ୍ଗଳବାର ସେମାନେ ଯେଉଁ ପ୍ରସଙ୍ଗ ସହ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ, ସମାନ ପ୍ରସଙ୍ଗରେ ପୁନର୍ବାର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେମାନେ ଦାବି କରିଛନ୍ତି।
ବିଜେଡି ପ୍ରତିନିଧି ଦଳ କହିଛନ୍ତି, ଭାଜପାର ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ନିଜର ଗୁଣ୍ଡାଗର୍ଦ୍ଦି ଛାଡ଼ୁନାହାନ୍ତି। ଗତକାଲି ବିଜେଡି ଟାଙ୍ଗି ବ୍ଲକର ଏମ୍‌ବିକେମାନଙ୍କୁ ଫୋନ୍‌ କରି ଧମକାଉଛନ୍ତି। ଏନେଇ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ସେ ପୁଣିଥରେ ଫୋନ୍‌ କରି ଧମକ ଦେଉଛନ୍ତି। ଯେତେ ଅଭିଯୋଗ କଲେ ଫରକ ପଡ଼ିବନି ବୋଲି କହିବା ସହ ଏତେ ସବୁ ଅପରାଧ ପରେ ବି ଟିକେଟ ମିଳିଥିବା ଡିଣ୍ଡିମ ପିଟୁଛନ୍ତି। ହେଲେ ତାଙ୍କର ଗୁଣ୍ଡାଗର୍ଦ୍ଦି ଚଳିବ ନାହିଁ। ଏ ସମ୍ପର୍କିତ ସମସ୍ତ ସୂଚନା ନିର୍ବାଚନ ଅଧିକାରୀଙ୍କୁ ଦିଆଯାଇଛି। ଏହାଛଡ଼ା ମିଶନ ଶକ୍ତି ମା’, ଏମ୍‌ବିକେମାନଙ୍କୁ ପାଲଟା ଜବାବ ଦେବାକୁ କୁହାଯାଇଛି। ନିର୍ବାଚନ ପରେ ଜଣେ ଅପରାଧୀ, ଗୁଣ୍ଡାଙ୍କୁ ଉଚିତ ଜବାବ ଦିଆଯିବ। ଓଡ଼ିଶାର ରାଜନୈତିକ ଇତିହାସରେ ଏଭଳି ଘଟଣା ଦୁର୍ଭାଗ୍ୟଜନକ। ଏ ସମ୍ପର୍କରେ ନିର୍ବାଚନ କମିଶନ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଶା ଥିବା ସେମାନେ କହିଛନ୍ତି।

Share