ଓଡ଼ିଶା ଭାଜପା ଏମ୍‌ପି, ଜଣେ କେନ୍ଦ୍ରମନ୍ତ୍ରୀ ଷଡ଼ଯନ୍ତ୍ର ଜାରି ରଖିଛନ୍ତି: ବିଜେଡି

ଭୁବନେଶ୍ବର,୨୬ା୬ (ସୁନିତ୍‌ ମିଶ୍ର): ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଗତ କିଛିଦିନ ହେଲା ରାଜ୍ୟ ଭାଜପା ନେତାମାନଙ୍କଠାରୁ କେନ୍ଦ୍ରମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ରାଜ୍ୟବାସୀଙ୍କୁ ଭ୍ରମିତ କରିଆସୁଛନ୍ତି। ଅତୀତରେ ଓଡ଼ିଶାର ଭାଜପା ଏମ୍‌ପି ଏବଂ ରାଜ୍ୟର ଜଣେ କେନ୍ଦ୍ରମନ୍ତ୍ରୀ ଷଡ଼ଯନ୍ତ୍ର କରି ବହୁ ଲକ୍ଷ ଗରିବ ଓଡ଼ିଆ ହିତାଧିକାରୀଙ୍କୁ ୩ ବର୍ଷ କାଳ ଆବାସ ଯୋଜନାରେ ଘର ଖଣ୍ଡେ ପାଇବାରୁ ବଞ୍ଚିତ କରିଥିଲେ। ଏବେ ମଧ୍ୟ ସେମାନେ ସେହିଭଳି ଷଡ଼ଯନ୍ତ୍ର ଜାରି ରଖିଛନ୍ତି ବୋଲି ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ କହିଛନ୍ତି।
ଶଙ୍ଖ ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଗୌତମ କହିଛନ୍ତି ଯେ, ଖାଦ୍ୟ ଓ ବସ୍ତ୍ର ଭଳି ବାସଗୃହ ହେଉଛି ମଣିଷର ଏକ ମୌଳିକ ଆବଶ୍ୟକତା। ପ୍ରତ୍ୟେକ ଲୋକର ସ୍ବପ୍ନ ଥାଏ ନିଜ ପାଇଁ ଘରଟିଏ ତୋଳିବ। ମାତ୍ର ବିଡ଼ମ୍ବନା ହେଲା, ଯେତେବେଳେ ଓଡ଼ିଶାର ଗରିବ, ଆଦିବାସୀ ଏବଂ ଅନୁସୂଚିତ ଜନଜାତିର ୧୫ ଲକ୍ଷ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିଜ ମୁଣ୍ଡ ଉପରେ ଛାତଟିଏ ଆବଶ୍ୟକ କରୁଥିଲେ, ଏହାକୁ ବନ୍ଦ କରିବା ଲାଗି ଓଡ଼ିଶାରୁ ଦିଲ୍ଲୀ ଯାଇଥିବା ଭାଜପା ସାଂସଦମାନେ ମିଳିତ ଭାବେ ଷଡ଼ଯନ୍ତ୍ର କରିଥିଲେ। ଏଥିପାଇଁ ସେମାନେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କୁ ଭେଟି ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନ ଦେବାକୁ ଚାପ ପକାଇଥିଲେ। ଶେଷରେ ସେମାନଙ୍କ ଏହି ଷଡ଼ଯନ୍ତ୍ର ସଫଳ ମଧ୍ୟ ହେଲା। ଦୀର୍ଘ ୩ ବର୍ଷ କାଳ ଓଡ଼ିଶାକୁ ଘର ମିଳିବା ବନ୍ଦ ହୋଇଗଲା। ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ତାଙ୍କ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଆବାସ ଯୋଜନା ବାବଦରେ ସେମାନେ ଏବେ ପୁଣି ଭୁଲ୍‌ ତଥ୍ୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶା ପାଇଁ ମାତ୍ର ୮ ଲକ୍ଷ ଘର ମଞ୍ଜୁର ହୋଇଥିବା ବେଳେ ୭୫ ଲକ୍ଷ ଘର ମଞ୍ଜୁର ହୋଇଥିବା କଳାହାଣ୍ଡିର ଏକ ଜନସଭାରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ମୁହଁରେ ସେମାନଙ୍କ ରାଜ୍ୟ ନେତାମାନେ କୁହାଇଛନ୍ତି। ଏଭଳି ଭୁଲ୍‌ ତଥ୍ୟ ଦେଇ ଏହି ନିର୍ଦ୍ଦିଷ୍ଟ କେନ୍ଦ୍ରମନ୍ତ୍ରୀ ଏବଂ ଓଡ଼ିଶା ଭାଜପାର ଏମ୍‌ପିମାନେ ରାଷ୍ଟ୍ରୀୟ ସଭାପତିଙ୍କୁ ଅତ୍ୟନ୍ତ କଠିନ ଓ ଲଜ୍ଜାଜନକ ସ୍ଥିତିକୁ ଠେଲି ଦେଇଛନ୍ତି ବୋଲି ଗୌତମ କହିଛନ୍ତି।

Share