Categories: ଖେଳ

ଓଡ଼ିଶା ବାଳକ ଦଳକୁ ସ୍ବର୍ଣ୍ଣ, ବାଳିକାଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର, ୨୮।୧୧(ତପନ ସ୍ବାଇଁ): ମାଲେସିଆରେ ଅନୁଷ୍ଠିତ ୧୭ ବର୍ଷରୁ କମ୍‌ ମିର୍ନାଓ୍ବାନ୍‌ କପ୍‌ ହକି ଟୁର୍ନାମେଣ୍ଟରେ ଓଡ଼ିଶା ବାଳକ ଦଳ ସ୍ବର୍ଣ୍ଣ ଏବଂ ବାଳିକା ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ଓଡ଼ିଶା ବାଳକ ଦଳ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ହରାଇ ଚାମ୍ପିୟନ ହୋଇଛି। ସେହିପରି ପ୍ଲେ-ଅଫ୍‌ରେ ଦକ୍ଷିଣ ଆଫ୍ରିକାକୁ ୨-୦ରେ ହରାଇ ବାଳିକା ଦଳ ତୃତୀୟ ସ୍ଥାନ ହାସଲ କରିଛି। ଓଡ଼ିଶାର ବିବେକ ଲାକ୍ରା ବାଳକ ବିଭାଗରେ ଶ୍ରେଷ୍ଠ ଗୋଲକିପର ବିବେଚିତ ହୋଇଛନ୍ତି। ବିନତି ମିଞ୍ଜ ଓ ଜାହ୍ନବୀ ବଡ଼ା ବାଳିକା ବିଭାଗରେ ଶ୍ରେଷ୍ଠ ସ୍କୋରର ହୋଇଥିଲେ। ଏହି ଟୁର୍ନାମେଣ୍ଟରୁ ଯୁବ ଖେଳାଳିମାନେ ଅନ୍ତର୍ଜାତୀୟ ଅଭିଜ୍ଞତା ହାସଲ କରିଛନ୍ତି। ଓଡ଼ିଶା ଦଳର ସଫଳତାକୁ ନେଇ ଆମେ ଗର୍ବିତ ବୋଲି ବାଳକ ବିଭାଗ କୋଚ୍‌ ଡେଭିଡ ଜନ୍‌ ପ୍ରକାଶ କରିଛନ୍ତି। ବାଳିକା ଦଳର କୋଚ୍‌ ସୁଜିତ ଲାକ୍ରା ମଧ୍ୟ ଦଳର ପ୍ରଦର୍ଶନରେ ସନ୍ତୋଷ ପ୍ରକାଶ କରିଛନ୍ତି। ଓଡ଼ିଶା ବାଳିକା ଦଳ ଯଦିଓ ସ୍ବର୍ଣ୍ଣ ଜିତି ପାରିନାହିଁ ତେବେ ପଦକ ସହ ପ୍ରତ୍ୟାବର୍ତ୍ତନ ଆମକୁ ଖୁସି ଦେଇଛି ବୋଲି ସେ କହିଛନ୍ତି। ୨୦୨୪ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ଚେନ୍ନାଇରେ ହେବ। ତା‘ ପୂର୍ବରୁ ଏହି ଟୁର୍ନାମେଣ୍ଟ ପିଲାମାନଙ୍କୁ ଭଲ ଅଭ୍ୟାସ ଦେଇଛି ବୋଲି ସେ କହିଛନ୍ତି। ମିର୍ନାଓ୍ବାନ କପ୍‌ ମାଲେସିଆ ନ୍ୟାଶନାଲ ହକି ଡେଭଲପ୍‌ମେଣ୍ଟ ପ୍ରୋଗ୍ରାମର ଏକ ଅଂଶବିଶେଷ। ଆମନ୍ତ୍ରିତ ଦଳଭାବେ ଓଡ଼ିଶା ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲା। କୁଆଲାଲମ୍ପୁରର କେପିଏମ୍‌ ଷ୍ଟାଡିୟମରେ ଟୁର୍ନାମେଣ୍ଟ ଗତ ୧୮ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ୫ ଦେଶର ୧୧ ଦଳ ଏଥିରେ ଅଂଶଗ୍ରହଣ କରିଥିଲେ।

Share