ଆନ୍ଧ୍ର ନିର୍ବାଚନରେ ଓଡ଼ିଶା ପ୍ରାର୍ଥୀ, ଭୋଟର

ପାରଳାଖେମୁଣ୍ଡି,୭ା୨(ଡି.ଏନ୍‌.ଏ.): କୋଟିଆ ପରେ ବର୍ତ୍ତମାନ ଗଜପତି ଜିଲା ଗଙ୍ଗାବାଡର କେତେକ ଗ୍ରାମ ଉପରେ ଆନ୍ଧ୍ର ପକାଇଛି ଲୋଲୁପ ଦୃଷ୍ଟି। ବିଭିନ୍ନ ଯୋଜନାରେ ଲୋକଙ୍କୁ ସାମିଲ କରିବା ସହ ବର୍ତ୍ତମାନ ଫେବୃୟାରୀ ୧୩ରେ ପଞ୍ଚାୟତ ନିର୍ବାଚନରେ ଓଡ଼ିଶାରୁ ପ୍ରାର୍ଥୀ ଦେଇଛି। ଜିଲାର ରାୟଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତ ମାଣିକପାଟଣା, ମାଦିଆଖୋଲ, ବୁରୁସିଂ, ଅମରିଙ୍ଗି ଓ ଗୁଡୁଖୁଡି ଗ୍ରାମରେ ଜମି ପଟ୍ଟା, ଭୋଟ ପରିଚୟ ପତ୍ର, ଆଧାର କାର୍ଡ, ରାଶନକାର୍ଡ, ଭତ୍ତା, ବିଦ୍ୟୁତ୍‌ ସଂଯୋଗ କରିବା ପରେ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଦେଇ ଭୋଟଦାନ ପାଇଁ ଭୋଟରଙ୍କୁ ରାଜି କରାଉଛି। ଏହି ଗ୍ରାମର ଜଣେ ମହିଳା ଲକ୍ଷ୍ମୀ ଶବରଙ୍କୁ ୱାର୍ଡ ମେମ୍ବର ପ୍ରାର୍ଥୀ ମଧ୍ୟ କରାଯାଇଛି। ଆଗାମୀ ୧୩ ତାରିଖରେ ଭୋଟ ଦେବାକୁ ମଧ୍ୟ କେତେକ ଲୋକେ ମନସ୍ତ କରିଥିବା ଜଣାପଡିଛି। ଗ୍ରାମର ଅଧା ଲୋକ ଆନ୍ଧ୍ରପ୍ରଦେଶ ଆଡେ ମନ ବଳାଉଥିବାବେଳେ ଆଉ ଅଧାଲୋକ ଓଡ଼ିଶା ମାଟିରେ ରହୁଛୁ ଓଡ଼ିଶାକୁ ସମର୍ଥନ କରିବୁ ବୋଲି କହିଛନ୍ତି। ଉପରୋକ୍ତ ଗ୍ରାମଗୁଡିକୁ ଆନ୍ଧ୍ର ଶ୍ରୀକାକୁଲମ୍‌ ଜିଲା ମନ୍ଦୁସା ମଣ୍ଡଳମ୍‌ର ସାବାକୋଟା ପଞ୍ଚାୟତ ବୋଲି ଭୋଟର କାର୍ଡରେ ଦର୍ଶାଇଛି। ବୁରୁସିଂ ଗ୍ରାମରେ ମଧ୍ୟ ପାଞ୍ଚ ପରିବାର ଉଭୟ ଆନ୍ଧ୍ର ଓ ଓଡିଶାରୁ ଭୋଟ ପରିଚୟପତ୍ର ପାଇଛନ୍ତି। ଉଭୟ ରାଜ୍ୟରୁ ସେମାନେ ବହୁ ସରକାରୀ ସୁବିଧା ପାଉଛନ୍ତି। ଉକ୍ତ ପରିବାର ଲୋକେ ଆନ୍ଧ୍ରରେ ଚାଷ ପାଇଁ ଜମି କିଣିଥିବାରୁ ପ୍ରସାଶନିକ ଓ ରାଜନୈତିକ ଚାପ ଯୋଗୁ ଭୋଟ ଦେବାକୁ ବାଧ୍ୟ ବୋଲି କହିଛନ୍ତି। ଗୁଡୁଖୁଡି ଗ୍ରାମବାସୀ ମଧ୍ୟ ଭୋଟ ଦେବେ ବୋଲି ସ୍ପଷ୍ଟ କରିଛନ୍ତି। ଆନ୍ଧ୍ରପ୍ରଦେଶ ସରକାର ସୁବିଧା ସୁଯୋଗ ଯୋଗାଇ ଦେବାସହ ରାଜସ୍ବ ମଧ୍ୟ ଆଦାୟ କରୁଛି। କିନ୍ତୁ ଗଜପତି ଜିଲା ପ୍ରଶାସନ ବିଗତ ୫ମାସ ଧରି ରାଶନ ପ୍ରଦାନ କରିନାହିଁ, ତେଣୁ ଓଡିଶା ମାଟିରେ ରହି ମଧ୍ୟ ଆନ୍ଧ୍ରପ୍ରଦେଶ ନିର୍ବାଚନରେ ଭୋଟ ଦେବାରେ ଅସୁବିଧା କେଉଁଠି ବୋଲି କହିଛନ୍ତି। ଗଜପତି ଜିଲା ପ୍ରଶାସନର ଏକ ଟିମ୍‌ ଶନିବାର ଉପ ଜିଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ନେତୃତ୍ୱରେ ସମ୍ପୃକ୍ତ ଗ୍ରାମ ପରିଦର୍ଶନ କରି ମାଣିକପାଟଣାରେ ବୈଠକ କରିଥିଲେ। ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ କରି ଆନ୍ଧ୍ର କରିଥିବା ଷଡ଼ଯନ୍ତ୍ର ପଣ୍ଡ କରିବାକୁ ପ୍ରଶାସନ ପ୍ରୟାସ ଆରମ୍ଭ କରିଛି। କୋଟିଆ ଭଳି ଏହି ଗ୍ରାମ ଗୁଡିକ ପ୍ରତି ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଦୃଷ୍ଟି ଦେଇ ଲୋକମାନଙ୍କୁ ଆକୃଷ୍ଟ କରିବାକୁ ଦାବି ହେଉଛି।

Share