ସମସ୍ତ କଳ୍ପନାଜଳ୍ପନାର ଅନ୍ତ: ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ ମାସ ବଢ଼ିଲା

ଭୁବନେଶ୍ୱର,୨୪।୮(ବ୍ୟୁରୋ): ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି ପାଇଛି। ଚଳିତ ମାସରେ ସେ ଅବସର ନେଇଥାନ୍ତେ। ଏଣୁ ତାଙ୍କ ସ୍ଥାନରେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବ ତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଥିଲା। ଏସବୁରେ ସାମାନ୍ୟ ବିରାମ ଲଗାଇ ୧୯୮୬ ବ୍ୟାଚ୍‌ ଆଇଏଏସ୍‌ ଅଫିସର ସୁରେଶଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ପାଇଁ ୬ ମାସ ବୃଦ୍ଧି ହୋଇଛି। ସେ ୨୦୨୩ ଫେବୃଆରୀ ୨୮ ପର୍ଯ୍ୟନ୍ତ ରାଜ୍ୟ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରିବେ ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅଗଷ୍ଟ ୧୦ରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ମୁଖ୍ୟ ସଚିବ ଭାବେ ସୁରେଶଙ୍କ କାର୍ଯ୍ୟକାଳକୁ ଆଉ ୬ ମାସ ବୃଦ୍ଧି କରିବାକୁ ଆବେଦନ କରାଯାଇଥିଲା। କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ଅନୁମୋଦନ କରାଯାଇଛି। ଚଳିତ ବର୍ଷ ଫେବୃୟାରୀରେ ତାଙ୍କ କାର୍ଯ୍ୟକାଳ ପ୍ରଥମେ ବୃଦ୍ଧି ପାଇଥିଲା। ଏବେ ଏହାକୁ ପୁଣି ବୃଦ୍ଧି କରାଯାଇଥିବାରୁ ସେ ୨୦୨୩ ଫେବୃଆରୀ ୨୮ ଯାଏ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରିବେ।

Share