ଲକ୍‌ଡାଉନ୍‌ ଚାହୁଁ ନ ଥିଲେ; ରୋଜଗାର ବନ୍ଦ କରିବାକୁ ଚାହୁଁ ନ ଥିଲେ ମାସ୍କ ପିନ୍ଧନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯।୪(ବ୍ୟୁରୋ): ଦିନକୁ ଦିନ ଜଟିଳ ହେବାରେ ଲାଗିଛି କରୋନା ସ୍ଥିତି। ଦେଶର କିଛି ସ୍ଥାନରେ କରୋନାର ତୃତୀୟ ଲହର ଚାଲିଥିବା ବେଳେ ଓଡ଼ିଶାରେ ଦ୍ୱିତୀୟ ଲହର ଚାଲିଛି। ଏଣୁ ଆମକୁ କେତେ ଲହର ମୁକାବିଲା କରିବାକୁ ପଡ଼ିବ, କେହି ଜାଣି ନାହାନ୍ତି। ଯଦି ଆମେ ମାସ୍କ ପିନ୍ଧିବା ତେବେ କରୋନାଠାରୁ ରକ୍ଷା ପାଇବା ବୋଲି ଶୁକ୍ରବାର ଅପରାହ୍ନରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଏବେ କୋଭିଡର ଦ୍ୱିତୀୟ ଲହର ଆରମ୍ଭ ହୋଇଛି। ଏହା ଶୀଘ୍ର ବ୍ୟାପୁଛି। ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌, ନାଇଟ୍‌ କର୍ଫ୍ୟୁ ଆରମ୍ଭ ହେଲାଣି। ଆମେ କୋଭିଡ ନିୟମ ମାନିଲେ କରୋନା ସଂକ୍ରମଣ ରୋକିପାରିବା। ଏଥିପାଇଁ ଆଜିଠାରୁ ୧୪ ଦିନ ଯାଏ ମାସ୍କ ଅଭିଯାନ ଆରମ୍ଭ କରିବା। ମାସ୍କ ପିନ୍ଧିବା ବୋଲି ଆମେ ସଂକଳ୍ପ ନେବା। ହେଲେ ବେକରେ ଝୁଲାଇ ନୁହେଁ ବରଂ ଠିକ୍‌ ଭାବେ ନାକକୁ ଘୋଡାଇ ମାସ୍କ ପିନ୍ଧିବା। ବିନା ମାସ୍କରେ କେବେ ବି ଘରୁ ବାହାରିବା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହାଛଡ଼ା ପରିବାରର ମହିଳାମାନଙ୍କ ହାତରେ କରୋନାକୁ ରୋକିବାର ଶକ୍ତି ଅଛି ବୋଲି ପରୋକ୍ଷରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ପରିବାରଲୋକେ ବାହାରକୁ ଗଲେ ମା’ ମାନେ ସେମାନଙ୍କୁ ମାସ୍କ ପିନ୍ଧାନ୍ତୁ। ମା’ ମାନେ ସତର୍କ ହେଲେ କେବେ ବି କରୋନା ଘରକୁ ଆସିପାରିବନାହିଁ। ସରକାର ବାହାରେ ଜଗିଛନ୍ତି, ମା’ ମାନେ ଘରେ ଜଗନ୍ତୁ। କିଛି ଅମାନିଆଙ୍କ ପାଇଁ କାହିଁକି ସାରା ସମାଜ କଠିନ ପରିସ୍ଥିତିରେ ପଡ଼ିବ। ମାସ୍କ ନ ପିନ୍ଧିଥିବା ଲୋକଙ୍କଠାରୁ ନିଶ୍ଚୟ ଜରିମାନା ଆଦାୟ କରାଯିବ। ଏବେ ମାସ୍କ ନ ପିନ୍ଧିଲେ ଏବେ ୨ ଗୁଣା ଜରିମାନା ପାଇଁ ନିଷ୍ପତ୍ତି ହୋଇଛି। ମାସ୍କ ହିଁ ଆମପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା କବଚ। ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ନିଶ୍ଚୟ ମାସ୍କ ପିନ୍ଧନ୍ତୁ। ଯେଉଁମାନେ ଟିକା ନେଇଛନ୍ତି, ସେମାନେ ବି ମାସ୍କ ପିନ୍ଧନ୍ତୁ। ଏହାଦ୍ୱାରା ଆମେ ବିନା ଲକ୍‌ଡାଉନ୍‌ରେ କରୋନାକୁ ରୋକି ପାରିବା। ନିଜ ରୋଜଗାର ବନ୍ଦ କରିବାକୁ ଚାହୁଁ ନ ଥିଲେ ମାସ୍କ ପିନ୍ଧନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Share