Categories: ଖେଳ

ପ୍ରଥମଥର ପଦକ ନିଶ୍ଚିତ କଲା ଓଡ଼ିଶା

ଭୁବନେଶ୍ୱର, ୧୮।୧(ତପନ ସ୍ବାଇଁ): ମଧ୍ୟପ୍ରଦେଶର ଇନ୍ଦୋରରେ ଚାଲିଥିବା ୟୁଟିଟି ୮୫ତମ ଆନ୍ତଃ ରାଜ୍ୟ ସବ୍‌ଜୁନିୟର ଓ ଜାତୀୟ କ୍ୟାଡେଟ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଓଡ଼ିଶା ଦଳ ପ୍ରଥମଥର ପାଇଁ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି। ପ୍ରଭାବୀ ପ୍ରଦର୍ଶନ ଯୋଗୁ ଓଡ଼ିଶା ପ୍ରଥମଥର ପଦକ ହାସଲ ମଧ୍ୟ ନିଶ୍ଚିତ କରିଛି। ଗ୍ରୁପ୍‌ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିବା ଓଡ଼ିଶା ୨-୩ ଗେମ୍‌ରେ ଗୁଜରାଟଠାରୁ ହାରି ଯାଇଥିଲା। ମାତ୍ର ଏହାପରେ ଦଳ ମଧ୍ୟପ୍ରଦେଶକୁ ହରାଇ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା ଏବଂ ଟିଟିଏଫ୍‌ଆ-୨ (ରାଜସ୍ଥାନ)କୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା। ପ୍ରି-କ୍ୱାର୍ଟର ଫାଇନାଲରେ ଓଡ଼ିଶା ଉତ୍ତମ ପ୍ରଦର୍ଶନ କରିଥିଲା ଏବଂ ତେଲଙ୍ଗାନାକୁ ୩-୨ରେ ହରାଇ ଦେଇଥିଲା। କ୍ୱାର୍ଟର ଫାଇନାଲରେ ଦଳ ପୂର୍ବତନ ଚାମ୍ପିୟନ ତାମିଲନାଡ଼ୁକୁ ୩-୧ରେ ଚକ୍‌ମା ଦେଇ ସେମିଫାଇନାଲରେ ପହଞ୍ଚତ୍ ଯାଇଥିଲା। ଗୁରୁବାର ହେବାକୁଥିବା ସେମିଫାଇନାଲରେ ଓଡ଼ିଶା ଶକ୍ତିଶାଳୀ ପେଟ୍ରୋଲିୟମ ସ୍ପୋଟର୍‌ସ ପ୍ରମୋଶନ ବୋର୍ଡ (ପିଏସ୍‌ପିବି)କୁ ଭେଟିବ। ”ପିଏସ୍‌ପିବି ଗତ ବର୍ଷର ଚାମ୍ପିୟନ, ଏକ ଶକ୍ତିଶାଳୀ ଦଳ। ତଥାପି ଆମ ପିଲାଙ୍କ ମନୋବଳ ଉଚ୍ଚା ଥିବାରୁ ଏହି ମ୍ୟାଚରେ ମଧ୍ୟ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନ କରି ବିଜୟୀ ହେବା ଆଶା ରହିଛି“ ବୋଲି ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ଆସୋସିଏଶନ ସମ୍ପାଦକ ରବୀନ୍ଦ୍ର ପରିଡ଼ା ପ୍ରକାଶ କରିଛନ୍ତି। ଜିଜ୍ଞାସୁ ସାଇ କିରଣ ପ୍ରଧାନ, ତାମିଲ ମହମ୍ମଦ, ଅନିନ୍ଦ୍ୟ ଅନୁପମ ଦାସ ଓ ଜିଜ୍ଞାସୁ ସାହୁ ଖେଳାଳିଭାବେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ରାଜ ଏସ. ସୁବ୍ରମଣ୍ୟମ୍‌ କୋଚ୍‌ ଏବଂ ସମ୍ବିଦ ଦାସ ମ୍ୟାନେଜର ଅଛନ୍ତି।

 

Share