ବାତ୍ୟା ‘ଦାନା’କୁ ନେଇ ଗ୍ରୋସରୀ କଳାବଜାରୀ, ଚଢ଼ାଉ କରୁଛି ଯୋଗାଣ ବିଭାଗ

ଗଞ୍ଜାମ,୨୪।୧୦(ବିଦ୍ୟାଧର ସାହୁ): ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଗଞ୍ଜାମ ସହରବାସୀ ଚିନ୍ତାରେ ଥିବା ବେଳେ ବିଭିନ୍ନ ସାମଗ୍ରୀର ଦରଦାମ୍‌ ବୃଦ୍ଧି ମୁଣ୍ଡବିନ୍ଧାର କାରଣ ପାଲଟିଛି। ନିତ୍ୟ ଅପରିହାର୍ଯ୍ୟ ଆଳୁ, ପିଆଜ ବଜାରରୁ ଏକପ୍ରକାର ଗାଏବ ହୋଇଯାଇଛି। ଏହାର ସୁଯୋଗ ନେଇ କିଛି ବ୍ୟବସାୟୀ ଆଳୁ କିଲୋ ପିଛା ୩୫ରୁ ୪୦ ଟଙ୍କାରେ ବିକ୍ରି କରୁଛନ୍ତି। ଏନେଇ ଅଭିଯୋଗ ହେବା ପରେ ଗୁରୁବାର ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଦୋକାନୀମାନଙ୍କୁ ୨୮ରୁ ୩୦ ଟଙ୍କାରେ ବିକ୍ରି କରିବାକୁ ନୋଟିସ ମାରିବା ଲାଗି ବିଭାଗ ନିର୍ଦ୍ଦେଶ ଦେଇଛି।

ପ୍ରକାଶ ଯେ, ସାମୁଦ୍ରିକ ଝଡ଼ ଦାନା ଆଜି ସକାଳ ୪ଟା ସୁଦ୍ଧା ପାରାଦ୍ୱୀପଠାରୁ ଦକ୍ଷିଣ-ପୂର୍ବ ଦିଗରେ ୨୬୦ କିଲୋମିଟର, ଧାମରାଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୨୯୦ କିଲୋମିଟର ଏବଂ ସାଗରଦ୍ୱୀପଠାରୁ ୩୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି। ‘ଦାନା’ ଗୁରୁବାର ରାତିରୁ ଆସନ୍ତାକାଲି ସକାଳ ମଧ୍ୟରେ ଭିତରକନିକା-ଧାମରା ମଧ୍ୟରେ ସ୍ଥଳଭାଗ ସ୍ପର୍ଶ କରି ପୁରୀ ଓ ସାଗରଦ୍ୱୀପ ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି।

Share