‘ଏମିତି ତମ କୋଳରେ ଆଉଥରେ ନିଶ୍ଚିତ ଜନ୍ମ ନେବି’

ଭୁବନେଶ୍ୱର,୨୨।୩: ଗୋଟିଏ ଝିଅ ପାଇଁ ତା’ ବାପାଙ୍କ ସ୍ଥାନ ସ୍ବତନ୍ତ୍ର। ତାଙ୍କ ଆବର୍ତ୍ତମାନରେ ଝିଅ ଜୀବନରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୁଏ। ଠିକ୍‌ ଏଭଳି ବିଜେଡିର ବରିଷ୍ଠ ନେତା ଡା. ଦାମୋଦର ରାଉତଙ୍କ ପରଲୋକ ଗମନ ପରେ ଭାଙ୍ଗି ପଡ଼ିଛନ୍ତି ଝିଅ ପ୍ରିତିନନ୍ଦା ରାଉତରାୟ। ଦାମ ରାଉତ ଏକ ସଂଘର୍ଷର ନାଁ। ସେହି ସଂଘର୍ଷର ଆଜି ଅବସାନ ଘଟିଥିବା କୋହଭରା କଣ୍ଠରେ ସେ କହିଛନ୍ତି। ଦାମଙ୍କ ଝିଅ ବୋଲି ସେ ସର୍ବଦା ଗର୍ବ କରି ଆସିଛନ୍ତି। ସମାଜରେ ଯେଉଁ ସମ୍ମାନ ମିଳିଛି ତାହା ବାପାଙ୍କ ଲାଗି। ଆଜିର ଦିନଟି ବଡ଼ କଷ୍ଟର ଦିନ ବୋଲି ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି।

କେବଳ ଏତିକି ନୁହେଁ ପ୍ରିତିନନ୍ଦା ନିଜର ଫେସବୁକ ପୃଷ୍ଠାରେ ଦାମଙ୍କ ସହ ନିଜର ଏକ ଫଟୋ ପୋଷ୍ଟ କରି ‘ଏମିତି ତମ କୋଳରେ ଆଉଥରେ ନିଶ୍ଚିତ ଜନ୍ମ ନେବି। ମୋ’ ପୃଥିବୀ ଆଉ ମୁଁ’ ବୋଲି ଲେଖିଛନ୍ତି। ଏହି ପୋଷ୍ଟରେ ଦାମଙ୍କ ଶୁଭେଚ୍ଛୁମାନେ ଅମର ଆତ୍ମାର ସଦ୍‌ଗତି କାମନା କରୁଛନ୍ତି। ଅନେକେ ତାଙ୍କୁ ସାଲିସ ବିହୀନ ନେତା ବୋଲି କହିବା ସହ ଏମିତି ନେତା ସରକାରରେ ଆସିବା ଅସମ୍ଭବ ବୋଲି କହୁଛନ୍ତି।

କହିରଖୁଛୁ, ଶୁକ୍ରବାର ଭୋର୍‌ ସମୟରେ ଦାମ ରାଉତଙ୍କ ପରଲୋକ ଘଟିଥିଲା। ଦୀର୍ଘଦିନ ଧରି ସେ କିଡନୀଜନିତ ସମସ୍ୟାରେ ପୀଡ଼ିତ ଥିଲେ। ଗତ ୧୮ ତାରିଖରେ ଗୁରୁତର ହେବା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କ ହୃଦ୍‌ଘାତ ହୋଇଥିଲା। ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ଦାମଙ୍କ ଚିକିତ୍ସା ନିମନ୍ତେ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ନିୟୋଜିତ ଥିଲେ। ହେଲେ ସମସ୍ତ ଚେଷ୍ଟ ସତ୍ତ୍ୱେ ଭୋର୍‌ରେ ସେ ଆଖି ବୁଜିଥିଲେ।

Share