ନୂଆଦିଲ୍ଲୀ,୨୫।୧୧: ନୂଆଦିଲ୍ଲୀରେ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା (ଆଇଆଇଟିଏଫ୍)ର ୪୧ତମ ସଂସ୍କରଣ ଅବସରରେ ଗୁରୁବାର ଓଡ଼ିଶା ଦିବସ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଯାଇଛି। ଓଡ଼ିଶାର ଗ୍ରାମାଞ୍ଚଳ ବିକାଶ ରାଷ୍ଟ୍ରମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଉତ୍ସବର ଉଦ୍ଘାଟନ କରିଥିଲେ। ଏହି ଉତ୍ସବରେ ଓଡ଼ିଶୀ, ଡାଲଖାଇ ସମେତ ଆଧୁନିକ ନୃତ୍ୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ ହୋଇଥିଲା ଯେଉଁଥିରେ ଶତାଧିକ ଲୋକ ସାମିଲ ହୋଇଥିଲେ। ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ଆଇଆଇଟିଏଫ୍ରେ ଓଡ଼ିଶା ପକ୍ଷରୁ ଗ୍ରାମାଞ୍ଚଳର ମହିଳା କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ‘ଭୋକାଲ ଫର୍ ଲୋକାଲ, ଲୋକାଲ ଟୁ ଗ୍ଲୋବାଲ’ ଶୀର୍ଷକରେ ପ୍ରଦର୍ଶିତ ହୋଇଥିଲା। ବାଣିଜ୍ୟ ମେଳାରେ ଓଡ଼ିଶାର ୨୪ଟି ଷ୍ଟଲ ଲାଗିଥିବାବେଳେ ପାଭିଲିୟନରେ ‘ମେକ୍ ଇନ୍ ଓଡ଼ିଶା’, ‘ପୁରୁଷ ହକି ଓ୍ବାଲର୍ଡ କପ୍’ ଏବଂ ‘ମାଣ୍ଡିଆ ମିଶନ’ ପ୍ରଦର୍ଶିତ ହୋଇଥିଲା।