Categories: ଖେଳ

ଚଣ୍ଡିଗଡ଼କୁ ହରାଇଲା ଓଡ଼ିଶା

ଭୁବନେଶ୍ୱର, ୧୭।୧୦ (କ୍ରୀଡ଼ା ପ୍ରତିନିଧି): ଲକ୍ଷ୍ନୌଠାରେ ଚାଲିଥିବା ସୟଦ ମୁସ୍ତାକ ଅଲୀ କ୍ରିକେଟ ଟୁର୍ନାମେଣ୍ଟରେ ଓଡ଼ିଶା ରବିବାର ଚଣ୍ଡିଗଡ଼କୁ ରୋମାଞ୍ଚକଭାବେ ୧ ଉଇକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଚଣ୍ଡିଗଡ଼ ୨୦ ଓଭରରେ ୬ ଉଇକେଟ ହରାଇ ୧୭୯ ରନ କରିଥିଲା। ଦଳ ପକ୍ଷରୁ ଭଗମେନ୍ଦର ଲାଥର ସର୍ବାଧିକ ୫୯ ରନ କରିଥିବାବେଳେ ରାଜ ବାଓ୍ବା ୧୭ ବଲ୍‌ରୁ ଦୁତ ୪୦ (୨ ଚୌକା, ୪ ଛା) ରନରେ ଅପରାଜିତ ରହିଥିଲେ। ଅଙ୍କିତ କୌଶିକ ୩୮ ରନର ଯୋଗଦାନ ଦେଇଥିଲେ।

ଓଡ଼ିଶା ବୋଲରଙ୍କ ମଧ୍ୟରେ ତାରିଣୀ ସ’ ଓ ଅଧିନାୟକ ଅନୁଜ ରାଉତ ୨ଟି ଲେଖାଏ ଏବଂ ରାଜେଶ ମହାନ୍ତି ଓ ସୁଶୀଲ ବାରିକ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୧୮୦ ରନ ବିଜୟ ଲକ୍ଷ୍ୟରେ ଓଡ଼ିଶା ମାତ୍ର ୫ ରନରେ ୨ଟି ଉଇକେଟ ହରାଇ ବିପର୍ଯ୍ୟୟରେ ପଡ଼ିଥିଲେ ହେଁ ରାକେଶ ପଟ୍ଟନାୟକଙ୍କ ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ବଳରେ ସଫଳ ପ୍ରତ୍ୟାବର୍ତ୍ତନ କରି ୨୦ ଓଭରରେ ୯ ଉଇକେଟ ହରାଇ ୧୮୧ ରନ ସଂଗ୍ରହ କରି ନେଇଥିଲା। ରାକେଶ ମାତ୍ର ୨୪ ବଲ୍‌ରୁ ୬୧ (୭ ଚୌକା, ୪ ଛକା) ରନର ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ।

ଫର୍ମରେ ଥିବା ଶୁଭ୍ରାଂଶୁ ସେନାପତି ୪୭ ଓ ଶାନ୍ତନୁ ମିଶ୍ର ୩୯ ରନ ସ୍କୋର କରିଥିଲେ। ଚଣ୍ଡିଗଡ଼ ପକ୍ଷରୁ ଜଗଜିତ ସିଂ ୪ଟି ଏବଂ ସନ୍ଦିପ ଶର୍ମା, ଗୁରିନ୍ଦର ସିଂ ଓ ରୋହିତ ଧଣ୍ଡ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଟୁର୍ନାମେଣ୍ଟରେ ୪ ମ୍ୟାଚରୁ ଓଡ଼ିଶାର ଏହା ଦ୍ୱିତୀୟ ବିଜୟ। ଦଳ ସିକିମ ବିପକ୍ଷରେ ୯ ଉଇକେଟରେ ବିଜୟ ସହ ଅଭିଯାନ ଆରମ୍ଭ କରିଥିବାବେଳେ ପରବର୍ତ୍ତୀ ୨ଟି ମ୍ୟାଚରେ ଯଥାକ୍ରମେ ତାମୁଲନାଡ଼ୁଠାରୁ ୫ ଉଇକେଟ ଓ ବେଙ୍ଗଲଠାରୁ ୮ ଉଇକେଟରେ ହାରି ଯାଇଥିଲା। ୪ ମ୍ୟାଚରୁ ୮ ପଏଣ୍ଟ ସହ ଦଳ ଗ୍ରୁପ୍‌ ‘ଇ’ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି।
ସଂକ୍ଷିପ୍ତ ସ୍କୋର
ଚଣ୍ଡିଗଡ଼ ୨୦ ଓଭରରେ ୧୭୯/୬ (ଭଗମେନ୍ଦର ଲାଥର-୫୯, ରାଜ ବାଓ୍ବା-୪୦*, ତାରିଣୀ ସ’-୨/୨୫, ଅନୁଜ ରାଉତ-୨/୨୯, ରାଜେଶ ମହାନ୍ତି-୧/୧୬, ସୁଶୀଲ ବାରିକ-୧/୪୧)। ଓଡ଼ିଶା ୨୦ ଓଭରରେ ୧୮୧/୯ (ରାକେଶ ପଟ୍ଟନାୟକ-୬୧*, ଶୁଭ୍ରାଂଶୁ ସେନାପତି-୪୭, ଶାନ୍ତନୁ ମିଶ୍ର-୩୯, ଜଗଜିତ ସିଂ-୪/୨୯, ସନ୍ଦିପ ଶର୍ମା-୧/୨୬, ଗୁରିନ୍ଦର ସିଂ-୧/୨୬, ରୋହିତ ଧଣ୍ଡ-୧/୧୯)।

 

Share