ଆଣ୍ଟି ଡମ୍ପିଂ ଶୁଳ୍କ ଲଗାଇବାକୁ ଓଡ଼ିଶାର ଦାବି

ଭୁବନେଶ୍ୱର,୨୭।୪(ବ୍ୟୁରୋ): ନିକଟରେ କେନ୍ଦ୍ର ସରକାର ଇସ୍ପାତ ଉତ୍ପାଦନ ଉପରେ ଆଣ୍ଟି ଡମ୍ପିଂ ଏବଂ କାଉଣ୍ଟରଭେଲିଂ ଶୁଳ୍କ ଉଠାଇ ଦେଇଛନ୍ତି। ଏହା ଚାଇନା ଭଳି ଦେଶକୁ ସୁହାଇବା ସହ ଆମ ଦେଶରୁ ଶସ୍ତାମାଲ ରପ୍ତାନି ବହୁଗୁଣିତ ହୋଇପାରେ। ତେଣୁ ଆଣ୍ଟି ଡମ୍ପିଂ ଶୁଳ୍କ ଲାଗୁ କରିବାକୁ ରାଜ୍ୟ ଶିଳ୍ପମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ସୋମବାର ଚିଠି ଲେଖିଛନ୍ତି।
ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ଷ୍ଟେନ୍‌ଲେସ ଷ୍ଟିଲ୍‌ ଉତ୍ପାଦନରେ ଓଡ଼ିଶା ଦେଶରେ ସର୍ବବୃହତ ରାଜ୍ୟରେ ପରିଣତ ହୋଇଛି। ଏ କ୍ଷେତ୍ରରେ ୧୫ ହଜାର କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ ହୋଇଛି। ଏହାଛଡ଼ା ୮ ହଜାର କୋଟି ଏମ୍‌ଏସ୍‌ଏମ୍‌ଇ ଅଧୀନରେ ନିମ୍ନ ପ୍ରବାହ ଶିଳ୍ପ ଉତ୍ପାଦନଗୁଡିକରେ ନିବେଶ କରାଯାଉଛି। ଏପରି କି ରାଜ୍ୟରେ ଷ୍ଟେନ୍‌ଲେସ ଷ୍ଟିଲ୍‌ ସହ ଜଡିତ ଅସଂଖ୍ୟ ଉଦ୍ୟୋଗର ସୁଯୋଗ ରହିଛି, ଯାହାକୁ ସରକାର ପ୍ରମୁଖତା ପ୍ରଦାନ କରି ଆସୁଛନ୍ତି। ଆଗାମୀ ଦିନରେ ରାଜ୍ୟରେ ମେଟାଲ କ୍ଲଷ୍ଟର ଓ ଷ୍ଟେନ୍‌ଲେସ ଷ୍ଟିଲ୍‌ ପାର୍କ ପ୍ରତିଷ୍ଠା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ପ୍ରକ୍ରିୟା ଚାଲୁ ରଖିବାକୁ ଉତ୍ପାଦନକାରୀ ଶିଳ୍ପସଂସ୍ଥାଗୁଡ଼ିକୁ ଉତ୍ତମ ବାତାବରଣ ଯୋଗାଇବା, ଚାଇନା ଓ ଇଣ୍ଡୋନେସିଆର ରପ୍ତାନି ଦ୍ରବ୍ୟ ଉପରେ କଟକଣା ଲଗାଯିବାର ଆବଶ୍ୟକତା ରହିଛି ବୋଲି ଦିବ୍ୟଶଙ୍କର ଚିଠିରେ ଉଲ୍ଲେଖ କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ନିଜର ଘରୋଇ ଶିଳ୍ପ ସଂସ୍ଥାର ସୁରକ୍ଷା ପାଇଁ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିସାରିଛି। ତେଣୁ କେନ୍ଦ୍ର ସରକାର ପୁଣି ଥରେ ଆଣ୍ଟି ଡମ୍ପିଂ ଏବଂ କାଉଣ୍ଟରଭେଲିଂ ଶୁଳ୍କ ଲାଗୁ କରିବା ଉପରେ ପୁନଃ ବିଚାର କରିବାକୁ ଦିବ୍ୟ ଶଙ୍କର କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏହି ମର୍ମରେ ସେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ମଧ୍ୟ ଅନୁରୋଧ କରିଥିବା ଜଣାପଡିଛି।

Share