ଓଡ଼ିଶାରେ ୨୪ବର୍ଷର ବିଜେଡି ଶାସନର ଅବସାନ ଘଟି ପ୍ରଥମଥର ପାଇଁ ଭାଜପା ଶାସନ ଆରମ୍ଭ ହୋଇଛି। ନୂଆ ସରକାର ୨୦୨୪-୨୫ ବର୍ଷ ପାଇଁ ୨,୬୫,୦୦୦ କୋଟି ଟଙ୍କାର ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି। ୨୦୩୬ରେ ଓଡ଼ିଶା ଏହାର ସ୍ବତନ୍ତ୍ର ରାଜ୍ୟ ପ୍ରତିଷ୍ଠାର ୧୦୦ବର୍ଷ ଉତ୍ସବ ପାଳନ କରିବ। ଏଥିପାଇଁ ଏବର ସରକାର ୨୦୩୬ ବେଳକୁ ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବାକୁ ସଂକଳ୍ପ ନେଇଛନ୍ତି। ବିକାଶର କେଉଁ କେଉଁ କ୍ଷେତ୍ରକୁ କେତେମାତ୍ରାରେ ପ୍ରାଧାନ୍ୟଦେଇ ଆଜିଠାରୁ କାର୍ଯ୍ୟ ଆରମ୍ଭ କଲେ ଓଡ଼ିଶା ୨୦୩୬ ବେଳକୁ ଦେଶର ଏକ ଆଗୁଆ ବିକଶିତ ରାଜ୍ୟ ହେବ ତାହା ଜାଣିବା ପାଇଁ ଆମକୁ ନୀତି ଆୟୋଗଙ୍କ ଦ୍ୱାରା ବାର୍ଷିକ ପ୍ରକାଶିତ ‘ନିରନ୍ତର ବିକାଶ ଲକ୍ଷ୍ୟ – ୨୦୩୦’ ରିପୋର୍ଟଗୁଡିକୁ ବିଚାରକୁ ନେବାକୁ ପଡିବ। ଏବେ ୨୦୨୩ -୨୪ ରିପୋର୍ଟ ପ୍ରକାଶିତ ହୋଇଛି। ସେ ବିଷୟକୁ ଯିବା ପୂର୍ବରୁ ନିରନ୍ତର ବିକାଶ ଲକ୍ଷ୍ୟ -୨୦୩୦ କ’ଣ ତାହା ଉପରେ ସମ୍ୟକ ଆଲୋକପାତ କରିବା।
ବିଶ୍ୱର ବିକାଶ କ୍ଷେତ୍ରରେ ଥିବା ଭିନ୍ନ ମତବାଦଗୁଡିକ ଦୂରକରି ଜାତିସଂଘ ବିଶ୍ୱର ସମସ୍ତ ଦେଶମାନଙ୍କ ପାଇଁ ଗୋଟିଏ ବିକାଶ ଲକ୍ଷ୍ୟ ସ୍ଥିର କରିଛନ୍ତି। ୨୦୩୦ ପର୍ଯ୍ୟନ୍ତ ଧାର୍ଯ୍ୟ ଏହି ବିକାଶ ଲକ୍ଷ୍ୟକୁ ‘ନିରନ୍ତର ବିକାଶ ଲକ୍ଷ୍ୟ – ୨୦୩୦‘ କୁହାଯାଉଛି। ୨୦୩୦ପରେ ଆଉଥରେ ସବୁ ଦେଶ ଜାତିସଂଘରେ ଏକାଠି ହୋଇ ୨୦୪୫ ବା ୨୦୫୦ ପାଇଁ ବିଶ୍ୱର ‘ନିରନ୍ତର ବିକାଶ ଲକ୍ଷ୍ୟ’ ଧାର୍ଯ୍ୟ କରିବେ। ନିରନ୍ତର ବିକାଶ ଲକ୍ଷ୍ୟ-୨୦୩୦କୁ ଆଖିଆଗରେ ରଖି ସମସ୍ତ ଦେଶ ଓ ଦେଶମାନଙ୍କର ପ୍ରାଦେଶିକ ସରକାରମାନେ ସେମାନଙ୍କର ଦୀର୍ଘମିଆଦୀ ଓ ସ୍ବଳ୍ପମିଆଦୀ ବିକାଶ ଲକ୍ଷ୍ୟ ସ୍ଥିର କରି ତାହାର ବାର୍ଷିକ ସମୀକ୍ଷା କରୁଛନ୍ତି। ଏଥିରେ ବିକାଶର ୧୬ଟି କ୍ଷେତ୍ରରେ ୨୦୩୦ ପର୍ଯ୍ୟନ୍ତ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି, ଯଥା ୧- ସମ୍ପୂର୍ଣ୍ଣ ଦାରିଦ୍ର୍ୟ ଦୂରୀକରଣ, ୨- ସମ୍ପୂର୍ଣ୍ଣ କ୍ଷୁଧା ଦୂରୀକରଣ, ୩-ଉତ୍ତମ ସ୍ବାସ୍ଥ୍ୟ ଓ ନିରାମୟ, ୪- ଗୁଣାମତ୍କ ଶିକ୍ଷା, ୫- ଲିଙ୍ଗଗତ ସମାନତା, ୬- ସ୍ବଚ୍ଛ ପାନୀୟ ଜଳ ଓ ପରିମଳ, ୭- ସୁଲଭ ତଥା ପ୍ରଦୂଷଣବିହୀନ ଶକ୍ତି, ୮- ବିପଦ ମୁକ୍ତ କାମଧନ୍ଦା ଓ ଆର୍ଥିକ ଅଭିବୃଦ୍ଧି , ୯- ଶିଳ୍ପ, ଉଦ୍ଭାବନ ଓ ଭିତ୍ତିଭୂମି ବିକାଶ, ୧୦-ଅସମତା ହ୍ରାସ, ୧୧- ନିରନ୍ତର ବିକାଶମୁଖୀ ସହର ଓ ଗୋଷ୍ଠୀ, ୧୨- ଦାୟିତ୍ୱସମ୍ପନ୍ନ ଉପତ୍ାଦନ ଏବଂ ଖାଉଟି ବ୍ୟବସ୍ଥା,୧୩- ଜଳବାୟୁ ସୁରକ୍ଷା ପାଇଁ ପଦକ୍ଷେପ, ୧୪- ଜଳ ମଧ୍ୟରେ ଥିବା ଜୀବଜଗତର ସୁରକ୍ଷା, ୧୫- ଭୂପୃଷ୍ଠ ଜୀବଜଗତର ସୁରକ୍ଷା, ୧୬- ଶାନ୍ତି, ନ୍ୟାୟ ଓ ଦୃଢ଼ ଅନୁଷ୍ଠାନ ସୃଷ୍ଟି ଓ ବୃଦ୍ଧି।
ମିଳିତ ଜାତିସଂଘ ଏହି ୧୬ଟି କ୍ଷେତ୍ରରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରମାନଙ୍କ ବିକାଶର ସମୀକ୍ଷା କରି ୨୦୨୪ରେ ଯେଉଁ ବିବରଣୀ ପ୍ରକାଶ କରିଛନ୍ତି ସେଥିରେ ବିଶ୍ୱର ଶ୍ରେଷ୍ଠ ବିକଶିତ ରାଜ୍ୟ ତାଲିକାରେ ଅଛି ଗ୍ରୀନ୍ଲାଣ୍ଡ। ଭାରତର ସ୍ଥାନ ଅଛି ବିଶ୍ୱରେ ୧୦୯, ଯଦିଓ ପୂର୍ବ ସ୍ଥିତିରୁ ଆମେ ଉପରକୁ ଉଠିଛୁ।
ଏବେ ଆସିବା ନୀତି ଆୟୋଗଙ୍କ ଦ୍ୱାରା ପ୍ରକାଶିତ ‘ନିରନ୍ତର ବିକାଶ ଲକ୍ଷ୍ୟ-୨୦୩୦’ ହାସଲରେ ଦେଶର ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ଅଞ୍ଚଳର ସ୍ଥିତି। ୨୦୨୩-୨୪ ରିପୋର୍ଟରେ ୧୦୦ରୁ ୭୯ ନମ୍ବର ରଖି ଦେଶର ଶ୍ରେଷ୍ଠ ବିକଶିତ ରାଜ୍ୟ ରୂପେ ପରିଗଣିତ ହୋଇଛନ୍ତି କେରଳ ଏବଂ ଉତ୍ତରାଖଣ୍ଡ। ଓଡ଼ିଶା ୧୬ଟି ବିକାଶ କ୍ଷେତ୍ର ମଧ୍ୟରୁ କୌଣସିଟିରେ ୧ନମ୍ବର ସ୍ଥାନ ହାସଲ କରିପାରିନାହିଁ। ସମସ୍ତ ୧୬ଟି କ୍ଷେତ୍ରର ଅଗ୍ରଗତିକୁ ସମୀକ୍ଷା କଲା ପରେ ଓଡ଼ିଶା ରାଜ୍ୟମାନଙ୍କ ମଧ୍ୟରେ ୨୨ ନମ୍ବର ସ୍ଥାନରେ ଥିବା ଜଣାପଡିଛି। ଯେଉଁ କେତୋଟି କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଅତି ଉଦ୍ବେଗଜନକ ଅଛି ସେଗୁଡ଼ିକ ମଧ୍ୟରେ ରହିଛି କ୍ଷୁଧା ଦୂରୀକରଣ ଲକ୍ଷ୍ୟର ଅନ୍ତର୍ଭୁକ୍ତ ଶିଶୁ ଏବଂ ମାତୃ ପୁଷ୍ଟିହୀନତା, ଗୁଣାମତ୍କ ଶିକ୍ଷା ଲକ୍ଷ୍ୟର ଅନ୍ତର୍ଭୁକ୍ତ ଡ୍ରପ୍ଆଉଟ୍ ଓ ଶିକ୍ଷାର ମାନଦଣ୍ଡ ହ୍ରାସ ଏବଂ ଲିଙ୍ଗଗତ ଅସମତା। ଆଶ୍ଚର୍ଯ୍ୟ କଥା ଯେ ପୂର୍ବ ସରକାର ସମୟରେ ମହିଳାମାନଙ୍କ ଆର୍ଥିକ ଓ ରାଜନୈତିକ ସଶସ୍ତ୍ରୀକରଣ ଉପରେ ଅନେକ କାର୍ଯ୍ୟ ହୋଇଥିଲେ ବି ଲିଙ୍ଗଗତ ଅସମତା କ୍ଷେତ୍ରରେ ରାଜ୍ୟର ସ୍ଥାନ ୨୮ ନମ୍ବରରେ ବା ରାଜ୍ୟମାନଙ୍କ ମଧ୍ୟରେ ସବୁଠାରୁ ତଳେ ଅଛି। ଏହିବର୍ଷ ବଜେଟ ପାଇଁ ନୂଆ ସରକାର ସମୟ ପାଇ ନ ଥିବାରୁ ଆସନ୍ତା ବର୍ଷ ବଜେଟ ପ୍ରସ୍ତୁତ କରିବାବେଳକୁ ରାଜ୍ୟର ବିକାଶର ସ୍ଥିତି ନିରନ୍ତର ବିକାଶ-୨୦୩୦ ଫ୍ରେମ୍ୱାର୍କରେ ଯେଉଁ ଯେଉଁ କ୍ଷେତ୍ରମାନଙ୍କରେ ବହୁତ ପଛରେ ଅଛି, ତାହାକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମ ପ୍ରସ୍ତୁତ କରିବେ।
ମୁଖ୍ୟ ଲକ୍ଷ୍ୟ ହେଲା ରାଜ୍ୟର ଦ୍ରୁତ ଆର୍ଥିକ ପ୍ରଗତି। ଓଡ଼ିଶାର ମୋଟ ଘରୋଇ ଉପତ୍ାଦ(ଜିଏସ୍ଡିପି) ବାର୍ଷିକ ପ୍ରାୟ ଆଠଲକ୍ଷ କୋଟି ଟଙ୍କା। ଆନ୍ଧ୍ରପ୍ରଦେଶର ମୋଟ ଘରୋଇ ଉପତ୍ାଦ ଆମର ପ୍ରାୟ ୨ ଗୁଣ, ଗୁଜରାଟର ଏହା ଆମର ପ୍ରାୟ ତିନିଗୁଣ, ମହାରାଷ୍ଟ୍ରର ଏହା ଆମର ପ୍ରାୟ ଚାରିଗୁଣ। ମୋଟ ଘରୋଇ ଉପତ୍ାଦକୁ କୃଷି, ଶିଳ୍ପ, ସେବାର ଅବଦାନ ଯଥାକ୍ରମେ ୨୧%, ୪୩% ଓ ୨୭%। ଆମ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ଏବେ ପ୍ରାୟ ୭-୮% ହୋଇଥିବା ବେଳେ କୃଷି କ୍ଷେତ୍ରରେ ଏହା ପ୍ରାୟ ୩.୫% , ଶିଳ୍ପ କ୍ଷେତ୍ରରେ ଏହା ୮.୭% ଓ ସେବା କ୍ଷେତ୍ରରେ ଏହା ୯.୨%। ବାର୍ଷିକ ଆର୍ଥିକ ଅଭିବୃଦ୍ଧି ହାରକୁ ଆମେ ୧୦- ୧୨% କୁ ବୃଦ୍ଧିକରିବାକୁ ପଡିବ।
ଏଥିପାଇଁ ଆମର ସମ୍ବଳ ଓ କ୍ଷମତା କେଉଁଠି କେତେ ଅଛି ତାହା ଜାଣିବା ଓ ଜିଲାସ୍ତରକୁ ଓହ୍ଲାଇବା ଆବଶ୍ୟକ। ଜିଲାର ସମସ୍ତ ପଞ୍ଚାୟତ ଓ ନଗରାଞ୍ଚଳର ମାନବସମ୍ବଳ, ଜମି, ଜଳ, ଗଛ, ଜଳସେଚନ, ଗୋସମ୍ପଦ, ବ୍ୟବସାୟ, ଖଣିଖାଦାନ, ସରକାରୀ ସମ୍ପତ୍ତି ଇତ୍ୟାଦି କ୍ଷମତାକୁ ମାପି ଆମେ ବ୍ଲକ, ନଗରପାଳିକା ଓ ପ୍ରତ୍ୟେକ ଜିଲାର ମୋଟ ଘରୋଇ ଉପତ୍ାଦ ଲକ୍ଷ୍ୟ -୨୦୩୬ ପ୍ରଥମେ ପ୍ରସ୍ତୁତ କରି ତା’ପରେ ରାଜ୍ୟର ଘରୋଇ ଉପତ୍ାଦ- ୨୦୩୬ ଲକ୍ଷ୍ୟ ପ୍ରସ୍ତୁତ କଲେ ଯାଇ ବାସ୍ତବରେ ରାଜ୍ୟର ଆର୍ଥିକ ବିକାଶ ଦ୍ରୁତ ଗତିରେ ହୋଇପାରିବ।
ଏହି ସମୟରେ ଗରିବ ଲୋକମାନଙ୍କ ଆର୍ଥିକ ବିକାଶ ପାଇଁ ଯୋଜନା କରିବାକୁ ପଡିବ। ନୀତି ଆୟୋଗ ଦ୍ୱାରା ପ୍ରସ୍ତୁତ- ୨୦୨୩ର ବହୁମୁଖୀ ଦାରିଦ୍ର୍ୟ ରିପୋର୍ଟ ଅନୁଯାୟୀ, ରାଜ୍ୟର ମୋଟ ଗରିବୀ ହାର ୧୫.୬୮ ପ୍ରତିଶତ ଅଛି। ସହରୀ ଗରିବୀ ପ୍ରାୟ ୫ ପ୍ରତିଶତ ଓ ଗ୍ରାମୀଣ ଗରିବୀ ହାର ପ୍ରାୟ ୧୮ପ୍ରତିଶତ। ସେହିପରି ବାର୍ଷିକ ମୁଣ୍ଡ ପିଛା ଆୟରେ ଆମେ ଦେଶରେ ୧୧ନମ୍ବର ସ୍ଥିତିରେ ଅଛୁ (୧,୪୫,୨୦୦/-)। ମାଲକାନଗିରି ଜିଲାରେ ସର୍ବାଧିକ ୪୫% ଜନସଂଖ୍ୟା ଗରିବ। ଏହା ତଳକୁ ଅଛି ଯଥାକ୍ରମେ ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ ମୟୂରଭଞ୍ଜ ଜିଲା। ଜନସଂଖ୍ୟାର ୩୦ରୁ ୨୦ ପ୍ରତିଶତ ଗରିବ ଲୋକଥିବା ଜିଲାଗୁଡିକ ହେଲା ଗଜପତି, କେନ୍ଦୁଝର, କଳାହାଣ୍ଡି, ନୂଆପଡ଼ା ଓ କଳାହାଣ୍ଡି। ଏହି ଜିଲାମାନଙ୍କରେ ଦାରିଦ୍ର୍ୟ ପରିବର୍ତ୍ତନ ଯୋଜନା ପ୍ରସ୍ତୁତ କରିବାକୁ ପଡିବ।
କେନ୍ଦ୍ର ଓ ରାଜ୍ୟରେ ଭାଜପା ସରକାର ଥିବାରୁ ରାଜ୍ୟ ସରକାର ୨୦୩୬ ପାଇଁ ରାଜ୍ୟର ବିକାଶ ତଥା ଆର୍ଥିକ ଅଭିବୃଦ୍ଧି ଯୋଜନା ପ୍ରସ୍ତୁତ କରିବା ଲାଗି ନୀତି ଆୟୋଗଙ୍କ ସହାୟତା ନେଇପାରିବେ। ରାଜ୍ୟର ଯୋଜନା ବୋର୍ଡ ଓ ଯୋଜନା ବିଭାଗ ସହିତ ନୀତି ଆୟୋଗ କାର୍ଯ୍ୟକରି ବ୍ଲକସ୍ତରରେ ଡାଟାବେସ୍କୁ ଦ୍ରୁତ କରିବେ। ଏବେ ସମସ୍ତ ବିଭାଗୀୟ ଡାଟାବେସ୍ ବହୁତ ପଛରେ ଅଛି। ବିକାଶ ଖସଡାରେ କେତେକ ଜନମଙ୍ଗଳ କାର୍ଯ୍ୟକ୍ରମ ରହିବା ଆବଶ୍ୟ୍ୟକ, କିନ୍ତୁ ଅନେକ ଜନମଙ୍ଗଳ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ପଡିବ। ମାଗଣା ଯୋଜନା ଓ ରିଲିଫ୍ ମାନସିକତାରୁ ଆମକୁ ଉଦ୍ୟୋଗୀ ଓ ଆମତ୍ନିର୍ଭରଶୀଳ ମାନସିକତାକୁ ପରିବର୍ତ୍ତିତ ହେବାକୁ ପଡିବ। ନୂଆ ସରକାର ଆସନ୍ତା ୬ମାସ ଯୋଜନା ପ୍ରସ୍ତୁତିରେ ନିୟୋଗ କଲେ ଯାଇ ୨୦୨୫-୨୬ ଆର୍ଥିକ ବର୍ଷଠାରୁ ଓଡ଼ିଶା ୨୦୩୬-ଆମତ୍ନିର୍ଭରଶୀଳ ଓ ଦ୍ରୁତ ବିକାଶଶୀଳ ରାଜ୍ୟର ରାସ୍ତାରେ ଗତି କରିପାରିବ ା
ଲଳିତ ମୋହନ ମିଶ୍ର
ମୋ-୭୦୦୮୨୩୩୭୨୯