ରାଜନୀତି ଜାଣିନି, କେବଳ କାମ କରିବା ଜାଣିଛି: ପାଣ୍ଡିଆନ୍‌

ଭୁବନେଶ୍ୱର, ୧୭।୫ (ବନ୍ଦନା ସେଠୀ) – ମୁଖ୍ୟମନ୍ତ୍ରୀ ସାଲିଆସାହିବାସୀଙ୍କ ଭଲ ଚାହାନ୍ତି। ପ୍ରାକୃତିକ ବିପର୍ଯ୍ୟୟ ବେଳେ ସେମାନଙ୍କ କଥା ଆଗ ଚିନ୍ତା କରନ୍ତି। ଅନ୍ୟ ରାଜନୈତିକ ନେତାମାନେ ସାଲିଆସାହିବାସୀଙ୍କୁ ଭୋଟ୍‌ ପାଇଁ ସେଠାରେ ରଖିଥିବାବେଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ହୃଦୟରେ ରଖିଛନ୍ତି ବୋଲି କାର୍ତ୍ତିକ ପାଣ୍ଡିଆନ୍‌ କହିଛନ୍ତି। ଶୁକ୍ରବାର ଉତ୍ତର ଭୁବନେଶ୍ୱର ଅନ୍ତର୍ଗତ ସାଲିଆସାହିରେ ପ୍ରଚାର କରିବା ଅବସରରେ ପାଣ୍ଡିଆନ୍‌ କହିଲେ, ମୁଖ୍ୟମନ୍ତ୍ରୀ ଭୋଟ ପାଇଁ କାମ କରନ୍ତି ନାହିଁ, ବରଂ ଲୋକଙ୍କୁ ଭଲରେ ରଖିବାକୁ କାମ କରନ୍ତି। କୌଣସି ରାଜ୍ୟରେ ଭାଜପା କିମ୍ବା ଅନ୍ୟ କୌଣସି ସରକାର ବସ୍ତିବାସୀଙ୍କୁ ପଟ୍ଟା ଦେଇ ନାହାନ୍ତି କିମ୍ବା ଘର ତିଆରି କରିନାହାନ୍ତି। ବସ୍ତିବାସିନ୍ଦାଙ୍କୁ ସମ୍ମାନ ଦେବାରେ ନବୀନ ପଟ୍ଟନାୟକ ଦେଶର ପ୍ରଥମ ନେତା। ବସ୍ତିକୁ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ଯୋଜନା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିପରି ଆଇଆର୍‌ସି ଭିଲେଜ୍‌ ସ୍କୁଲ ରୂପାନ୍ତରଣ ଆଦି ବିଭିନ୍ନ କାର୍ଯ୍ୟ ମଧ୍ୟ କରାଯାଇଛି। ତେବେ ମୋ ଉପରେ ବିଶ୍ୱାସ ରଖନ୍ତୁ। ମୁଁ ରାଜନୀତି ଜାଣିନି, କାମ କରିବା ଜାଣିଛି ବୋଲି ପାଣ୍ଡିଆନ୍‌ କହିଛନ୍ତି। ଏଥିସହ ଜୁଲାଇରୁ ବିଜୁଳି ବିଲ୍‌ ଆସିବ ନାହିଁ, ବିଏସ୍‌କଓ୍ବୋଇରେ ସମସ୍ତେ ସାମିଲ୍‌ ହେବେ ଏବଂ ମିଶନ୍‌ ଶକ୍ତି ମହିଳାମାନେ ପେନ୍‌ସନ୍‌ ପାଇବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସେ କହିଥିଲେ।