ନୂଆଦିଲ୍ଲୀ,୧୯ା୪ : ଦୀର୍ଘ ୩୪ ବର୍ଷ ଧରି ଦୁର୍ଘଟଣାମୁକ୍ତ ସେବା ପାଇଁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଡ୍ରାଇଭର ଶେଖ୍ ଦୟାନ ମଙ୍ଗଳବାର ପୁରସ୍କୃତ ହୋଇଛନ୍ତି। ଆସୋସିଏଶନ ଅଫ୍ ଷ୍ଟେଟ୍ ରୋଡ୍ ଟ୍ରାନ୍ସପୋର୍ଟ ଅଣ୍ଡରଟେକିଂ (ଏଏସ୍ଆର୍ଟିୟୁ) ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ଏଏସ୍ଆର୍ଟିୟୁ ପକ୍ଷରୁ ରୋଡ୍ ହୀରୋଙ୍କୁ ସମ୍ବର୍ଦ୍ଧନା ଉତ୍ସବ ପାଳନ ଅବସରରେ ସର୍ବସାଧାରଣ ପରିବହନ ବସ୍ ଚଳାଇବାବେଳେ ସୁରକ୍ଷିତ ଓ ଦୁର୍ଘଟଣାରହିତ ଡ୍ରାଇଭିଂ ପାଇଁ ୪୨ ଜଣ ଡ୍ରାଇଭରଙ୍କୁ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟର ସଚିବ ଅଳକା ଉପାଧ୍ୟାୟ ନିରାପତ୍ତା ପୁରସ୍କାରରେ ସମ୍ମାନିତ କରିଛନ୍ତି।
ଦେଶର ବିଭିନ୍ନ ପ୍ରାନ୍ତରୁ ଏହି ଡ୍ରାଇଭରମାନେ ସେମାନଙ୍କ ପରିବାର ସଦସ୍ୟଙ୍କ ସହ ଉତ୍ସବରେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୭ ଡ୍ରାଇଭର ୩୦ ବର୍ଷରୁ ଊର୍ଦ୍ଧ୍ୱ ସେବାକାଳ ମଧ୍ୟରେ ଆଦୌ ଦୁର୍ଘଟଣା ଘଟାଇ ନାହାନ୍ତି।