ଭୋଗରାଇ,୬।୧୧( ପ୍ରଦୀପ ଦାସ ): ରାଜ୍ୟରେ ସରକାରୀ ଚିକିତ୍ସାଳୟ ଗୁଡିକରେ ଦୈନନ୍ଦିନ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ହେଲେ ଚିକିତ୍ସା କେନ୍ଦ୍ରରେ ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କ ପଦବୀ ପୂରଣ ହେଉ ନ ଥିବାରୁ ଚିକିତ୍ସା ସେବା ବାଧାପ୍ରାପ୍ତ ହେଉଛି । ଏଭଳି ସ୍ଥିତିରେ ଗ୍ରାମାଞ୍ଚଳରେ ରୋଗୀମାନେ ନକଲି କିମ୍ବା କୁୱାକ ଡାକ୍ତରଙ୍କ ଶୋଷଣର ଶିକାର ହେଉଥିବାର ଅଭିଯୋଗ ହୋଇଆସୁଛି । ପୋଡ଼ଶୀ ରାଜ୍ୟ ପଶ୍ଚିମବଙ୍ଗରେ ନକଲି ଡାକ୍ତରଙ୍କ ଚି଼ହ୍ନଟ ଓ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭିନ୍ନ ବେଆଇନ ନର୍ସିଂ ହୋମରେ ଚଢ଼ାଉ ହେଉଥିବାବେଳେ ଏହି ନକଲି ଡାକ୍ତର ମାନେ ଓଡ଼ିଶାକୁ ଆଶି ନର୍ସିଂ ହୋମ ଓ ଚେମ୍ବର ସମ୍ମୁଖରେ ବିଶେଷଜ୍ଞ ଡାକ୍ତର ବୋଲି ସାଇନବୋର୍ଡ ଟାଙ୍ଗି ଚିକିତ୍ସା କରୁଛନ୍ତି । କୁୱାକ ଡାକ୍ତରମାନେ ମେଜର ଅପରେଶନ କରି ରୋଗୀଙ୍କୁ ମୃତ୍ୟୁ ମୁଖକୁ ପଠାଇ ଦେଉଥିବାର ବାରମ୍ବାର ଅଭିଯୋଗ ହେଉଛି। ବାଲେଶ୍ୱରଜିଲା ଭୋଗରାଇ, ଜଳେଶ୍ୱର, ବାଲିଆପାଳ ଓ ବସ୍ତା ବ୍ଲକରେ ଏଭଳି ନକଲି ଡାକ୍ତର ଓ କେତେକ ବେଆଇନ ନର୍ସିଂ ହୋମରେ ରୋଗୀଙ୍କୁ ଚିକତ୍ସା କରାଯାଇ ଗରିବ ରୋଗୀଙ୍କୁ ଶୋଷଣ କରାଯାଉଥିବାର ଅଭିଯୋଗ ହେଉଛି।
ଭୋଗରାଇ ବ୍ଲକ ଦେହୁଡଦା ପଞ୍ଚାୟତ ଆନନ୍ଦାବଜ଼ାର ସ୍ଥିତ ଆସ୍ଥା ନର୍ସିଂ ହୋମରେ ଦୀର୍ଘଦିନଧରି ଅଭିଜ୍ଞ ଡାକ୍ତର ନଥାଇ ରୋଗୀ ସେବା ଚାଲିଆସୁଛି। ଉକ୍ତ ନର୍ସିଂ ହୋମରେ ଅଲଟ୍ରାସାଉଣ୍ଡ ମେଶିନ ରହିଥିଲେ ମଧ୍ୟ ଅଭିଜ୍ଞ ଡାକ୍ତର ନଥିବାରୁ ରୋଗୀଙ୍କ ରିପୋର୍ଟ ଭୁଲ ପ୍ରମାଣିତ ହେଉଛି । ଯାହା କି ରୋଗୀମାନେ ଅଧିକ ଅର୍ଥ ଖର୍ଚ୍ଚ କରି ଅଲଟ୍ରାସାଉଣ୍ଡ କରୁଥିଲେ ମଧ୍ୟ ସଠିକ ରିପୋର୍ଟ ହେଉ ନ ଥିବା ଅଭିଯୋଗ ହୋଇ ଆସୁଛି । ଏଥି ନିମନ୍ତେ ମଙ୍ଗଳବାର ଜିଲା ଜନସୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜିବ ପ୍ରଧାନ, ଡିପିଏମ ଅନୀଲ ମହାନ୍ତି, ଆଇନ ପରାମର୍ଶ ଦାତା ମାନସ ସାମନ୍ତ, ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡା.କମଳାକାନ୍ତ ଜେନା,ବିପିଏମ କବିପ୍ରସାଦ ସାହୁ ନର୍ସିଂ ହୋମରେ ଅଚାନକ ଚଢ଼ାଉ କରି ଗୁରୁତ୍ୱ ପୂର୍ଣ୍ଣ କାଗଜ ପତ୍ର ଯାଞ୍ଚ କରିବା ସହିତ ନର୍ସିଂ ହୋମରେ ଥିବା ଅଲଟ୍ରାସାଉଣ୍ଡ ମେଶିିନକୁ ସିଲ୍ କରିଥିଲେ। ସୂଚନା ଅନୁଯାୟୀ ଉକ୍ତ ନର୍ସିଂ ହୋମର ମାଲିକ ଡାକ୍ତର ବିରଞ୍ଚି ନାରାୟଣ ନନ୍ଦ ପଶ୍ଚିମବଙ୍ଗର ଜଣେ କୁୱାକ ଡାକ୍ତର l୨ 0 ୧ ୮ ମସିହାରେ ଭୋଗରାଇ ବ୍ଲକ ନେଗୁଆଁ ଛକ ଅନତି ଦୂରରେ ଏକ ବେଆଇନ ନର୍ସିଂ ହୋମ ଖୋଲି ମହିଳା ରୋଗୀଙ୍କ ପ୍ରତି ସଙ୍ଗୀନ ଅଭିଯୋଗ ହୋଇଥିଲା।