Categories: ଖେଳ

ବିଜୟ ଲକ୍ଷ୍ୟରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର,୬ା୨(ସ୍ପୋଟର୍‌ସ ବ୍ୟୁରୋ): ଇଣ୍ଡିଆନ୍‌ ସୁପର ଲିଗ୍‌ରେ ସୋମବାର ପରସ୍ପର ସହିତ ମ୍ୟାଚ୍‌ ଖେଳିବେ ଓଡ଼ିଶା ଏଫ୍‌ସି (ଓଏଫ୍‌ସି) ଓ ଏଫ୍‌ସି ଗୋଆ। କଳିଙ୍ଗ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ରେ ଏହି ମ୍ୟାଚ ଖେଳାଯିବ। ଘରୋଇ ଦର୍ଶକଙ୍କ ସମ୍ମୁଖରେ ଓଏଫ୍‌ସି ଏହି ମ୍ୟାଚ ଖେଳିବାକୁ ଥିବା ବେଳେ ଏଫ୍‌ସି ଗୋଆ ବିପକ୍ଷରେ ପ୍ରଥମ ବିଜୟ ପାଇଁ ଉଦ୍ୟମ କରିବ। ଏହା ପୂର୍ବରୁ ଉଭୟ ଦଳ ୭ଥର ମୁହାଁ ମୁହିଁ ହୋଇଥିବା ବେଳେ ଗୋଆ ୫ ଥର ବିଜୟୀ ହୋଇଛି ଓ ୨ଟି ମ୍ୟାଚ ଅମୀମାଂସିତ ଭାବରେ ଶେଷ ହୋଇଛି। ଚେନ୍ନାଇନ୍‌ ବିପକ୍ଷ ଅନ୍ତିମ ମ୍ୟାଚ୍‌ ଡ୍ର ରଖିବା ସହିତ ଓଏଫ୍‌ସି ୨୩ ପଏଣ୍ଟ ସହିତ ଷଷ୍ଠ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛି। ଅନ୍ୟ ପକ୍ଷରେ ଏଫ୍‌ସି ଗୋଆ ୨୬ ପଏଣ୍ଟ ସହିତ ୫ମ ସ୍ଥାନରେ ରହିଛି। ଏହି ମ୍ୟାଚ୍‌ ଜିତିଲେ ଓଏଫ୍‌ସି ପଏଣ୍ଟ ଟେବଲର ୫ମ ସ୍ଥାନକୁ ଉଠିବା ସହିତ ପ୍ଲେ ଅଫ୍‌ ସମ୍ଭାବନା ମଧ୍ୟ ବୃଦ୍ଧି ପାଈବ। ଉଭୟ ଦଳ ଶେଷ ଥର ପାଇଁ ଗୋଆର ଜଓ୍ବାହାର ଲାଲ ନେହେରୁ ଷ୍ଟାଡିୟମରେ ମ୍ୟାଚ ଖେଳିଥିଲେ ଯେଉଁଥିରେ ଓଏଫ୍‌ସି ୩-୦ରେ ପରାସ୍ତ ହୋଇଥିଲା। ମ୍ୟାଚର ୬୫ ତମ ମିନିଟରେ ନନ୍ଦ କୁମାର ଶେକରଙ୍କୁ ରେଡ କାର୍ଡ ମିଳିଥିଲା ଏବଂ ଓଏଫ୍‌ସି ଏହି ମ୍ୟାଚରେ ପରାଜିତ ହୋଇଥିଲା। ମ୍ୟାଚର ଗୋଟିଏ ଦିନ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଯୋଗ ଦେଇଥିଲେ ମୁଖ୍ୟ କୋଚ୍‌ ଯୋଶେପ୍‌ ଗୋମ୍ବାଉ ଏବଂ ଅନିକେତ ଯାଦବ। ଏହି ମ୍ୟାଚଟି ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ୩ ପଏଣ୍ଟ ଅକ୍ତିଆର କରିବା ପାଇଁ ଦଳ ଏହାର ଶ୍ରେଷ୍ଠ ପ୍ରୟାସ କରିବ ବୋଲି କହିଛନ୍ତି ମୁଖ୍ୟ କୋଚ୍‌ ଯୋଶେପ୍‌ ଗୋମ୍ବାଉ। ଓଏଫ୍‌ସିରେ ମୁଁ ଅନେକ ନୂତନ ଜିନିଷ ଶିଖିବାର ପ୍ରୟାସ କରୁଛି ଏବଂ ଦଳକୁ ବିଜୟୀ କରିବାକୁ ମୁଁ ମୋର ଶତ ପ୍ରତିଶତ ପ୍ରଦାନ କରିବି ବୋଲି କହିଛନ୍ତି ଅନିକେତ ଯାଦବ।

Share