Categories: ଖେଳ

ପଞ୍ଚମ ବିଜୟ ସହ ଦ୍ୱିତୀୟରେ ଓଡ଼ିଶା ଏଫ୍‌ସି

ଅହମଦାବାଦ, ୧୧।୫: ଇଣ୍ଡିଆନ ଓମେନ୍ସ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌)ରେ ଓଡ଼ିଶା ଏଫ୍‌ସି ପଞ୍ଚମ ବିଜୟ ହାସଲ କରିଛି। ବୁଧବାର ଶାହିବାଗ ପୋଲିସ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ଭିତ୍ତିକ ଏହି ଦଳ ୩-୦ ଗୋଲରେ ସେଲ୍‌ଟିକ୍‌ କୁଇନ୍ସ ଏଫ୍‌ସିକୁ ପରାସ୍ତ କରିଛି। ଆରମ୍ଭରୁ ମ୍ୟାଚଟି ଓଡ଼ିଶା ଏଫ୍‌ି ନିୟନ୍ତ୍ରଣରେ ରହିଥିଲା। ୩ୟ ମିନିଟରେ ଫୁଷ୍ଟିନା ଓରଓରନ୍ୟୋ ଆକ୍‌ପୋ ଏକ ଗୋଲ ଦେଇ ଦଳକୁ ଅଗ୍ରଣୀ କରିଥିଲେ। ୪୫+୨ ମିନିଟରେ ବନ୍ୟା କବିରାଜ ଏକ ଗୋଲଦେଇ ପ୍ରଥମାର୍ଦ୍ଧ ଖେଳ ଶେଷ ବେଳକୁ ଦଳର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇ ଦେଇଥିଲେ। ମ୍ୟାଚକୁ ପ୍ରତ୍ୟାବର୍ତ୍ତନ ପାଇଁ ସେଲ୍‌ଟିକ୍‌ କୁଇନ୍ସ ଏଫ୍‌ସି ଜୋରଦାର ଉଦ୍ୟମ କରିଥିଲା। ମାତ୍ର ଓଡ଼ିଶା ଏଫ୍‌ସି ଏହାର କଡ଼ା ଜବାବ ଦେଇଥିଲା। ଏଥିସହିତ ମ୍ୟାଚ ଶେଷ ହେବାର କିଛି କ୍ଷଣ ପୂର୍ବରୁ ଅର୍ଥାତ୍‌ ୯୦+୩ ମିନିଟରେ ଏସ. ଲିଣ୍ଡା କମ୍‌ ଆଉଏକ ଗୋଲ ଦେଇ ଓଡ଼ିଶା ଦଳକୁ ୩-୦ରେ ବିଜୟୀ କରିଥିଲେ। ବିଜୟୀ ଦଳର ଅଞ୍ଜୁ ତମାଙ୍ଗ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ପାଇଥିଲେ। ପ୍ରତିଯୋଗିତାରେ ୬ ମ୍ୟାଚରୁ ଓଡ଼ିଶା ଏଫ୍‌ସିର ଏହାଥିଲା ୫ମ ବିଜୟ। ଫଳରେ ମୋଟ ୧୫ ପଏଣ୍ଟ ସହିତ ଏହି ଦଳ ଗ୍ରୁପ୍‌ ‘ବି’ ଟେବୁଲର ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ଗ୍ରୁପ୍‌ରେ ସେଥୁ ମଦୁରାଇ ଦଳ ୧୬ ପଏଣ୍ଟ ସହିତ ଶୀର୍ଷରେ ରହିଛି। ବୁଧବାର ଅନୁଷ୍ଠିତ ଅନ୍ୟ ମ୍ୟାଚ ଗୁଡ଼ିକ ମଧ୍ୟରେ ଇଷ୍ଟର୍ନ ସ୍ପୋର୍ଟିଂ ୧-୦ ଗୋଲରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ, ଚର୍ଚ୍ଚିଲ ବ୍ରଦର୍ସ ଏଫ୍‌ସି ୩-୧ରେ ଲଡର୍‌ସ ଏଫ୍‌ଏ କୋଚି ଓ୍ବାଇଏମ୍‌ଏଏକୁ ହରାଇଥିବାବେଳେ କର୍ନାଟକର କିକ୍‌ଷ୍ଟାର୍ଟ ଏଫ୍‌ସି ଓ ସେଥୁ ମଦୁରାଇ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ଗୋଲଶୂନ୍ୟ ଡ୍ର ରହିଛି।

Share