ଭୁବନେଶ୍ୱର,୭ା୩: ଏସିଆନ୍ ଏଏଫ୍ସି କପ୍ ସେମିଫାଇନାଲର ପ୍ରଥମ ଚରଣରେ ସେଣ୍ଟ୍ରାଲ କୋଷ୍ଟ ମେରିନର(ସିସିଏମ୍) ନିକଟରୁ ୪-୦ରେ ପରାଜିତ ହୋଇଛି ଓଡ଼ିଶା ଏଫ୍ସି(ଓଏଫ୍ସି)। ସେଣ୍ଟ୍ରାଲ କୋଷ୍ଟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ଘରୋଇ ଦଳ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ଦଳ ପକ୍ଷରୁ ମାଇକେଲ ଡୋକା(୩୬, ୭୭) ମିନିଟରେ ଡବଲ ଗୋଲ ଦେଇଥିବା ବେଳେ ଷ୍ଟର୍ମ ରକ୍ସ(୫୨) ଓ ରୋନାଲ୍ଡ ବାର୍ସେଲୋସ (୮୯) ମିନିଟରେ ଗୋଲ ଦେଇଥିଲେ।
ପ୍ରଥମାର୍ଦ୍ଧରେ ଓଏଫ୍ସି କଡା ଟକ୍କର ଦେଇଥିଲା। ତେବେ ୩୬ ତମ ମିନିଟରେ ମାଇକେଲ ଡୋକା ପ୍ରଥମ ଗୋଲ ଦେଇଥିଲେ। ନିସବେଟଙ୍କ ପାସ୍କୁ ପୋଷ୍ଟ ମଧ୍ୟକୁ ପଠାଇ ଡୋକା ଦଳକୁ ୧-୦ରେ ଆଗୁଆ କରିଥିଲେ। ୪୩ ତମ ମିନିଟରେ ଡିଏଗୋ ମରିସିଓଙ୍କ ପାସ୍କୁ ବାର୍ ଉପରେ ମାରିଥିଲେ। ପ୍ରଥମାର୍ଦ୍ଧରେ ଓଏଫ୍ସି ୧-୦ରେ ପଛରେ ରହିଥିଲା।
ଦ୍ୱିତୀୟାର୍ଦ୍ଧରେ ସିସିଏମ୍ ଆଉ ୩ ଗୋଲ ଦେଇଥିଲା। ୫୨ ତମ ମିନିଟରେ ଷ୍ଟର୍ମ ରକ୍ସ ଏକ ଗୋଲ ଦେଇ ଦଳକୁ ୨-୦ରେ ଆଗୁଆ କରିଥିଲେ। ୭୭ ତମ ମିନିଟରେ ରୟ କ୍ରିଷ୍ଣାଙ୍କ ଫାଉଲରୁ ସିସିଏମ୍କୁ ପେନାଲ୍ଟି ମିଳିଥିଲା। ମାଇକେଲ ଡୋକା ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ଦେଇଥିଲେ। ୮୯ତମ ମିନିଟରେ ରୋନାଲ୍ଡ ବାର୍ସେଲୋସ ଚତୁର୍ଥ ଗୋଲ ଦେଇ ଦଳକୁ ୪-୦ରେ ବିଜୟୀ କରିଥିଲେ। ଏହି ସେମି ଫାଇନାଲର ଦ୍ୱିତୀୟ ଚରଣ ମାର୍ଚ୍ଚ ୧୪ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ।