Categories: ଖେଳ

ଓଡ଼ିଶା ଏଫ୍‌ସି ଦଳକୁ ପ୍ରି-କ୍ୱାର୍ଟର ଯୋଗ୍ୟତା

ଭୁବନେଶ୍ୱର, ୭ା୧(ସ୍ପୋଟର୍‌ସ ବ୍ୟୁରୋ): ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ୍‌) ପକ୍ଷରୁ ପାଟନାଠାରେ ଚାଲିଥିବା ହିରୋ ୧୭ବର୍ଷରୁ କମ୍‌ ୟୁଥ୍‌ କପ୍‌ରେ ଓଡ଼ିଶା ଏଫ୍‌ସି ରାଉଣ୍ଡ ଅଫ୍‌ ୧୬ ଅବା ପ୍ରି-କ୍ୱାର୍ଟର ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଛି। ଗ୍ରୁପ-ସି’ରେ ସ୍ଥାନ ପାଇଥିବା ଏହି ଦଳ ନିଜର ସମୁଦାୟ ଚାରିଟି ମ୍ୟାଚ ଖେଳି ସେଥିରୁ ତିନୋଟିରେ ବିଜୟ ହାସଲ କରିବା ସହ ରାଉଣ୍ଡ ଅଫ ୧୬ ପର୍ଯ୍ୟାୟ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ଅନୁଷ୍ଠିତ ଗ୍ରୁପ୍‌ର ଚତୁର୍ଥ ତଥା ଶେଷ ମ୍ୟାଚରେ ୧୭ ବର୍ଷରୁ କମ୍‌ ଓଡିଶା ଏଫ୍‌ସି ଦଳ ୨-୧ ଗୋଲ୍‌ରେ ଆଲଫା ସ୍ପୋଟର୍‌ସ ଏକାଡେମୀକୁ ପରାସ୍ତ କରିଛି। ପ୍ରଥମାର୍ଦ୍ଧ ଖେଳର ୧୦ମ ମିନିଟରେ ଚିଣ୍ଟୁ ନାଗ ପ୍ରଥମ ଗୋଲ କରି ଟିମ୍‌କୁ ଆଗୁଆ କରାଇଥିଲେ। ମାତ୍ର କିଛି କ୍ଷଣ ପରେ ଆଲଫା ସ୍ପୋଟର୍‌ସ ଏକାଡେମୀ ଗୋଲ କରି ମ୍ୟାଚକୁ ବରାବର ସ୍ଥିତିକୁ ନେଇ ଆସିଥିଲା। ଦ୍ୱିତୀୟାର୍ଦ୍ଧର ୫୦ତମ ମିନିଟରେ ଭେଙ୍କଟେଶ୍ୱର ଓରାମ ଏକ ସୁନ୍ଦର ଗୋଲ ଦେଇ ଦଳକୁ ଜିତେଇଥିଲେ। ଏହା ଦ୍ୱାରା ପ୍ରଥମ ଥର ପାଇଁ ୧୭ ବର୍ଷରୁ କମ୍‌ ଓଡ଼ିଶା ଏଫ୍‌ସି ଦଳ ଏକ ଜାତୀୟ ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟରେ ଭାଗ ନେଇ ରାଉଣ୍ଡ ଅଫ୍‌ ୧୬ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିପାରିଛି। କ୍ଲବର ସଭାପତି ରାଜ ଅଟୱାଲ ଏହି ସଫଳତା ପାଇଁ ଖେଳାଳିଙ୍କ ସମେତ ମୁଖ୍ୟ କୋଚ ଅଜୟ କୁମାର ବେହେରା ଓ ଯଶପାଳ ଉର୍ମାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share