Categories: ଖେଳ

ଓଡ଼ିଶା ଏଫ୍‌ସି, ସ୍ପୋର୍ଟସ୍‌ ଓଡ଼ିଶା ପରାସ୍ତ

ଭୁବନେଶ୍ୱର, ୧୭।୫ (କ୍ରୀଡ଼ା ପ୍ରତିନିଧି): ଇଣ୍ଡିଆନ ଓମେନ୍ସ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌)ର ଲିଗ୍‌ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରି ଆସିଥିବା ଓଡ଼ିଶା ଏଫ୍‌ସି ଓ ସ୍ପୋର୍ଟସ୍‌ ଓଡ଼ିଶା ଦଳ ମଙ୍ଗଳବାର କ୍ୱାର୍ଟର ଫାଇନାଲରେ କିନ୍ତୁ ହାରି ଯାଇଛନ୍ତି। ଶାହିବାଗ୍‌ ପୋଲିସ ଷ୍ଟାଡିୟମରେ ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ସ୍ପୋର୍ଟସ୍‌ ଓଡ଼ିଶା ପେନାଲ୍ଟି ଶୁଟ୍‌ ଆଉଟ ୨-୪ ଗୋଲରେ ଇଷ୍ଟର୍ନ ସ୍ପୋର୍ଟିଂ ନିକଟରୁ ହାରି ଯାଇଛି। ନିର୍ଦ୍ଧାରିତ ସମୟରେ ମ୍ୟାଚ ୧-୧ ଗୋଲରେ ବରାବର ରହିଥିଲା। ଇଷ୍ଟର୍ନ ସ୍ପୋର୍ଟିଂ ୟୁନିୟନ ପକ୍ଷରୁ ଲିହିଙ୍ଗଡିକିମ୍‌ ୬୭ତମ ମିନିଟରେ ଗୋଲ ଦେଇ ଦଳକୁ ଅଗ୍ରଣୀ କରିଥିଲେ। ସ୍ପୋଟର୍‌ସ ଓଡ଼ିଶାର ମନୀଷା ନାୟକ ୮୦ତମ ମିନିଟରେ ଗୋଲ ପରିଶୋଧ କରି ଦେଇଥିଲେ। ଫଳାଫଳ ନିର୍ଣ୍ଣୟ ପାଇଁ ଶୁଟ୍‌ଆଉଟର ସହାୟତା ନିଆ ଯାଇଥିଲା। ଟ୍ରାନ୍ସଷ୍ଟାଡିଆରେ ଆୟୋଜିତ ଅନ୍ୟ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଓଡ଼ିଶା ଏଫ୍‌ସି ପେନାଲ୍ଟି ଶୁଟ୍‌ଆଉଟ ୦-୩ ଗୋଲରେ ଗୋକୁଳମ୍‌ କେରଳ ଏଫ୍‌ସିଠାରୁ ହାରିଛି। ଏହି ମ୍ୟାଚଟି ମଧ୍ୟ ନିର୍ଦ୍ଧାରିତ ସମୟରେ ୧-୧ ସ୍ଥିତିରେ ଶେଷ ହେବାରୁ ପେନାଲ୍ଟି ଶୁଟ୍‌ଆଉଟ ପଦ୍ଧତି ଅବଲମ୍ବନ କରାଯାଇଥିଲା। ମ୍ୟାଚର ୨ୟ ମିନିଟରେ ଏନ୍‌ ବାଲାଦେବୀ ଗୋଲଦେଇ ଓଡ଼ିଶା ଏଫ୍‌ସିକୁ ଆଗୁଆ କରିଥିବାବେଳେ ପ୍ରଥମାର୍ଦ୍ଧର ଇଞ୍ଜୁରି ଟାଇମ୍‌ ଅର୍ଥାତ୍‌ ୪୫+୪ ମିନିଟରେ ଗୋକୁଳମ୍‌ର ଆସେମ ରୋଜା ଦେବୀ ଗୋଲ ପରିଶୋଧ କରି ଦେଇଥିଲେ।

Share