Categories: ଖେଳ

ଆବୁଧାବି ଗ୍ରାଁ ପ୍ରି ଜିତିଲେ ଭର୍ଷ୍ଟାପେନ୍‌

ଆବୁଧାବି (ୟୁଏଇ)୨୭ା୧୧ (ଏପି): ରେଡବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ରବିବାର ବର୍ଷ ଶେଷ ଆବୁଧାବି ଗ୍ରାଁ ପ୍ରି ମୋଟର ରେସ୍‌ ଜିତିଛନ୍ତି। ଫଳରେ ଚଳିତ ସିଜନରେ ତାଙ୍କ ରେକର୍ଡ ବିଜୟ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି। ଏଥିସହିତ ଓଭର ଅଲ୍‌ ୫୪ତମ ବିଜୟ ସହ ସେ ସର୍ବକାଳୀନ ତାଲିକାରେ ୩ୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଭର୍ଷ୍ଟାପେନ୍‌ ଯଥାକ୍ରମେ ଫେରାରିର ଚାଲର୍‌ସ ଲେକ୍‌ରେକ୍‌ ଓ ମର୍ସିଡିଜ୍‌ ଡ୍ରାଇଭର ଜର୍ଜ ରସେଲଙ୍କ ଆଗରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଦ୍ରୁତତମ ଲାପ୍‌ ପାଇଁ ସେ ଏକ ବୋନସ ପଏଣ୍ଟ ମଧ୍ୟ ପାଇଛନ୍ତି। ୫୪ ତମ କ୍ୟାରିୟର ବିଜୟ ଦ୍ୱାରା ସେ ସର୍ବକାଳୀନ ତାଲିକାରେ ରେଡ୍‌ବୁଲର ମହାନ ଡ୍ରାଇଭର ସେବାଷ୍ଟିଆନ ଭେଟେଲଙ୍କୁ ଅତିକ୍ରମ କରିଯାଇଛନ୍ତି। ତାଙ୍କ ଆଗରେ କେବଳ ମାଇକେଲ ସୁମାକର (୯୧) ଏବଂ ଲୁଇସ୍‌ ହାମିଲଟନ (୧୦୩) ରହିଛନ୍ତି। ଏହି ସିଜନରେ ରେଡ୍‌ବୁଲ୍‌ ୨୨ଟି ରେସ୍‌ ମଧ୍ୟରୁ ୨୧ଟିରେ ବିଜୟ ହାସଲ କରି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଟିମ୍‌ ପାଇଁ ସର୍ଗିଓ ପେରେଜ ଦୁଇଥର ବିଜୟ ହାସଲ କରିଛନ୍ତି। ରବିବାର ରେସ୍‌ରେ ଯଥାକ୍ରମେ ୪ର୍ଥରୁ ୧୦ମ ସ୍ଥାନ ଅଧିକାର କରିଥିବା ଡ୍ରାଇଭରମାନେ ହେଲେ ସର୍ଗିଓ ପେରେଜ (ରେଡ୍‌ବୁଲ୍‌), ଲାଣ୍ଡୋ ନୋରିସ (ମ୍ୟାକଲରେନ), ଓସ୍କାର ପିଆଷ୍ଟ୍ରି (ମ୍ୟାକଲରେନ), ଫର୍ନାଣ୍ଡୋ ଆଲେଁସୋ (ଆଷ୍ଟନ ମାର୍ଟିନ), ୟୁକି ଟିସୁନୋଡା (ଆଲ୍‌ଫା ତାଉରି), ଲୁଇସ୍‌ ହାମିଲଟନ (ମର୍ସିଡିଜ) ଓ ଲାନ୍ସ ଷ୍ଟ୍ରୋଲ (ଆଷ୍ଟନ ମାର୍ଟିନ)।

Share