Categories: ଖେଳ

ଓଡ଼ିଶା ଏଫ୍‌ସି ୫-୦ ଗୋଲରେ ବିଜୟୀ

ଅହମଦାବାଦ, ୮।୫: ଇଣ୍ଡିଆନ ଓମେନ୍ସ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌)ର ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସି ୫-୦ ଗୋଲରେ ଲଡର୍‌ସ ଏଫ୍‌ଏ କୋଚି ଓ୍ବାଇଏମ୍‌ଏଏ ଦଳକୁ ପରାସ୍ତ କରିଛି। ସ୍ଥାନୀୟ ଶାହିବାଗ୍‌ ପୋଲିସ ଷ୍ଟାଡିୟମରେ ଆୟୋଜିତ ମ୍ୟାଚ୍‌ଟି ଆରମ୍ଭରୁ ବେଶ୍‌ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଓଡ଼ିଶା ଏଫ୍‌ସି ଏକପାଖିଆ ଭାବେ ଜିତିଥିଲା। ବିଜୟୀ ଦଳ ପକ୍ଷରୁ ସିନ୍ଥିଆ ମାର୍କୋଣ୍ଡେସ ଡୋସ ସାଣ୍ଟୋସ ୪୧ତମ ମିନିଟ୍‌ରେ ପ୍ରଥମ ଗୋଲଟି ଦେଇଥିଲେ। ୪୫+୧ ମିନିଟ୍‌ରେ ଏନ୍‌. ବାଲା ଦେବୀ ଗୋଟିଏ ଗୋଲ ଦେଇ ପ୍ରଥମାର୍ଦ୍ଧ ଶେଷବେଳକୁ ଓଡ଼ିଶା ଦଳର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିଲେ। ଦ୍ୱିତୀୟାର୍ଦ୍ଧରେ ଓଡ଼ିଶା ଏଫ୍‌ସି ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ଫୁଷ୍ଟିନା ଓରଓରନ୍ୟୋ ଆକ୍‌ପୋ ୬୩, ମାଳତୀ ମୁଣ୍ଡା ୮୬ ଓ ଅନୁଜ ତମାଙ୍ଗ ୮୯ତମ ମିନିଟ୍‌ରେ ଅନ୍ୟ ୩ଟି ଗୋଲ ଦେଇଥିଲେ। ଉତ୍ତମ ପ୍ରଦର୍ଶନ ପାଇଁ ବାଲା ଦେବୀ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ୫ ମ୍ୟାଚ୍‌ରୁ ଓଡ଼ିଶା ଏଫ୍‌ସିର ଏହା ଥିଲା ୪ର୍ଥ ବିଜୟ। ଫଳରେ ୧୨ ପଏଣ୍ଟ ସହିତ ଏହି ଦଳ ଟେବୁଲର ଦ୍ୱିତୀୟ ସ୍ଥାନରେ ପହଞ୍ଚତ୍ଛି। ଅନ୍ୟ ଏକ ମ୍ୟାଚ୍‌ରେ ସେଣ୍ଟ୍ରାଲ ରିଜର୍ଭ ପୋଲିସକୁ ୫-୦ରେ ହରାଇ ସେଥୁ ମଦୁରାଇ ଟେବୁଲର ଶୀର୍ଷରେ ରହିଛି। ଏହି ଦଳକୁ ୧୫ ପଏଣ୍ଟ ମିଳିଛି। ଅନ୍ୟ ମ୍ୟାଚ୍‌ଗୁଡ଼ିକ ମଧ୍ୟରେ କର୍ନାଟକର କିକ୍‌ଷ୍ଟାର୍ଟ ଏଫ୍‌ସି ୫-୦ରେ ସେଲ୍‌ଟିକ୍‌ କୁଇନ୍ସ ଏଫ୍‌ସି, ଇଷ୍ଟର୍ନ ସ୍ପୋର୍ଟିଂ ୪-୧ରେ ଚର୍ଚ୍ଚିଲ ବ୍ରଦର୍ସ ଏଫ୍‌ସିକୁ ପରାସ୍ତ କରିଛି।

Share