Categories: ଖେଳ

ଜାହୋଉଙ୍କ ସହ ଓଡ଼ିଶା ଏଫ୍‌ସିର ଚୁକ୍ତି

ଭୁବନେଶ୍ୱର, ୧।୬(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ଏଫ୍‌ସି ଆଗାମୀ ୨ ବର୍ଷ ପାଇଁ ମିଡ୍‌ଫିଲ୍ଡ ତାରକା ଅହମଦ ଜାହୋଉଙ୍କ ସହ ଚୁକ୍ତି କରିଛି। ଏହି ମରକ୍କୋ ଖେଳାଳି ପୂର୍ବରୁ ଏଫ୍‌ସି ଗୋଆ ଏବଂ ମୁମ୍ବାଇ ସିଟି ଏଫ୍‌ସି ପକ୍ଷରୁ ଖେଳିବାର ଅଭିଜ୍ଞତା ରଖିଛନ୍ତି। ସେ ଥରେ ଲେଖାଏ ଗୋଆ ଓ ମୁମ୍ବାଇ ପକ୍ଷରୁ ଖେଳି ହିରୋ ଆଇଏସ୍‌ଏଲ୍‌ ଲିଗ୍‌ ବିଜେତା ସିଲ୍ଡ ହାସଲ କରି ସାରିଛନ୍ତି। ଏହା ବ୍ୟତୀତ ଥିରେ ଆଇଏସ୍‌ଏଲ୍‌ ଟାଇଟଲ ମଧ୍ୟ ଜିତିବାର ସୌଭାଗ୍ୟ ପାଇଛନ୍ତି। ସେତେବେଳେ ସେ ମୁମ୍ବାଇ ସିଟି ଏଫ୍‌ସି ପକ୍ଷରୁ ଖେଳୁଥିଲେ। ତାଙ୍କ ଅଭିଜ୍ଞତା ଏବଂ ବିଜୟ ମାନସିକତା ଓଡ଼ିଶା ଏଫ୍‌ସିପାଇଁ ବିଶେଷ ଉପାଦେୟ ହେବ ବୋଲି ଆଶା କରାଯାଉଛି।
ଏଫ୍‌ସି ଗୋଆ ପକ୍ଷରୁ ଖେଳି ଆଇଏସଏଲ୍‌ ଅଭିଯାନ ଆରମ୍ଭ କରିଥିଲେ ଜାହୋଉ। ଖୁବ୍‌ କମ୍‌ ଦିନ ମଧ୍ୟରେ ସେ ଜଣେ ବିଚକ୍ଷଣ ମିଡ୍‌ଫିଲ୍ଡରଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ। ଆକ୍ରମଣାତ୍ମକ ରଣନୀତି ପାଇଁ ବିଶେଷ ପରିଚିତ ସର୍ଗିଓ ଲୋବେରାଙ୍କ ତତ୍ତ୍ୱାବଧାନରେ ଖେଳି ସେ ନିଜ ପ୍ରଦର୍ଶନକୁ ଶାଣିତ କରିଥିଲେ ଏବଂ ଗୋଆ ସଫଳତାର ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଥିଲେ। ଗୋଆ ସହିତ ସଫଳ ବର୍ଷ କଟାଇବାପରେ ସେ କୋଚ୍‌ ଲୋବେରାଙ୍କ ସହ ମୁମ୍ବାଇ ସିଟି ଏଫ୍‌ସି ଆସିଥିଲେ। ସେଠାରେ ମଧ୍ୟ ସେ ନିଜ ଅଭିଜ୍ଞତାର ଉପଯୋଗ କରି ଦଳକୁ ଟାଇଟଲ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଏବେ ତାଙ୍କ ଉପସ୍ଥିତିରେ ଓଡ଼ିଶା ଏଫ୍‌ସିର ଯୁବ ଖେଳାଳିମାନେ ଉପକୃତ ହେବେ। ତାଙ୍କ ଉପସ୍ଥିତିରେ କ୍ଲବ ପାଇଁ ଏକ ନୂଆ ଯୁଗର ଆରମ୍ଭ ହେବ ବୋଲି ଆଶା କରାଯାଉଛି।

 

Share