Categories: ବାଣିଜ୍ୟ

ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ କନ୍‌କ୍ଲେଭ ଉଦ୍‌ଯାପିତ

ଭୁବନେଶ୍ୱର,୬।୯:  କେନ୍ଦ୍ର ସରକାରଙ୍କ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ ( ଏମ୍‌ଓଏଫ୍‌ପିଆଇ) ଏବଂ ପିଏଚ୍‌ଡି ଚାମ୍ବର ଅଫ୍‌ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରିର ମିଳିତ ସହଯୋଗରେ ଆୟୋଜିତ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ କନ୍‌କ୍ଲେଭ ଆଣ୍ଡ ଇଣ୍ଡଷ୍ଟ୍ରି ମିଟ୍‌ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଭୁବନେଶ୍ୱରଠାରେ ଆୟୋଜିତ ଏହି ୨ ଦିନିଆ ସମ୍ମିଳନୀରେ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ଗୁଡିକ ଦ୍ୱାରା ଏକ ସ୍ବତନ୍ତ୍ର ପ୍ରଦର୍ଶନୀ କରାଯାଇଥିଲା। ଉକ୍ତ କନ୍‌କ୍ଲେଭରେ ୨୮ଟି ଶିଳ୍ପର ଶିଳ୍ପ ପ୍ରତିନିଧି ଓ ଅନ୍ୟମାନେ ଅଂଶଗ୍ରହଣ କରିଥିଲେ। ଅପରପକ୍ଷରେ କନ୍‌କ୍ଲେଭର ୨ ଦିନରେ ଖାଦ୍ୟ ପ୍ରକ୍ରିୟାକରଣର ବିଭିନ୍ନ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ବିସ୍ତୃତ ଆଲୋଚନା ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିଲା। ବିଶେଷକରି ଖାଦ୍ୟ ପ୍ରକ୍ରିୟାକରଣ ବ୍ୟବସାୟ ସାଙ୍ଗକୁ ପୁଞ୍ଜିନିବେଶ ଓ ବିନିଯୋଗ, ଯୋଜନା ଏବଂ ପ୍ରୋତ୍ସାହନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ ଉପରେ ବିଚାରବିମର୍ଶ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଜୟଶ୍ରୀ ମହାନ୍ତି, ତାପସ ଚନ୍ଦ୍ର ରାୟ, ନଗେଶ ବାରିକ, ଓମ୍‌କାର ରାଏ, ସୁଶାନ୍ତ କୁମାର ପଣ୍ଡା, ଗୌତମ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ନିଜର ମତ ଉପସ୍ଥାପନ କରିଥିଲେ। ସେହିପରି କନ୍‌କ୍ଲେଭର ଉଦ୍‌ଘାଟନୀରେ ଶିଳ୍ପର ବିକାଶ ପାଇଁ ବିଭିନ୍ନ ପ୍ରସ୍ତାବ ସହ ୨ଟି ଗୁରୁତ୍ୱପୂର୍ଣ୍ଣ ଅଧିବେଶନର ଆୟୋଜନ କରାଯାଇଥିଲା। ଅପରପକ୍ଷରେ ଓଡ଼ିଶା ପ୍ରଦେଶର ବିଭିନ୍ନ ଦିଗ ଓ ବ୍ୟବସାୟିକ କାର୍ଯ୍ୟକଳାପ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ପରିଶେଷରେ ପିଏଚ୍‌ଡିସିସିଆଇର ଆବାସିକ ନିର୍ଦ୍ଦେଶକ ପ୍ରଣବ ସିଂହ ଧନ୍ୟବାଦ ଅଭିଭାଷଣ ପ୍ରଦାନ କରିଥିଲେ।

Share