Categories: ଖେଳ

ଓଡ଼ିଶା ବାଳିକା, ବାଳକ ଓଭରଅଲ୍‌ ଚାମ୍ପିୟନ

ଭୁବନେଶ୍ୱର, ୧୩ା୬(ସ୍ପୋଟର୍‌ସ ବ୍ୟୁରୋ): କିଟ୍‌ ବିଶ୍ୱବିଦ୍ୟାଳୟରେ ଚାଲିଥିବା ପ୍ରଥମ ଜନଜାତି ଖେଳ ମହୋତ୍ସବ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଓଡ଼ିଶା ବାଳିକା ଓ ବାଳକ ଦଳ ସାମଗ୍ରିକ ଚାମ୍ପିୟନ ହୋଇଛି। ସେହିପରି କର୍ନାଟକ ବାଳିକା ଓ ବାଳକ ଦଳ ରନର ଅପ୍‌ ଏବଂ ଝାଡ଼ଖଣ୍ଡ ଦ୍ୱିତୀୟ ରନରଅପ୍‌ ହୋଇଛି। ରଗ୍‌ବୀ ବାଳକ ବର୍ଗରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ଜିତିଛି। ଝାଡ଼ଖଣ୍ଡ ରୌପ୍ୟ ଓ ମହାରାଷ୍ଟ୍ର ବ୍ରୋଞ୍ଜ ପାଇଛି। ସେହିପରି ବାଳିକା ବିଭାଗରେ ମଧ୍ୟ ଓଡ଼ିଶା ଚାମ୍ପିୟନ ହୋଇଥିବା ବେଳେ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଯଥାକ୍ରମେ ରନରଅପ୍‌ ଓ ତୃତୀୟ ହୋଇଛନ୍ତି। ପୁରୁଷ ହକିରେ ଓଡ଼ିଶା ଚାମ୍ପିୟନ, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ରନରଅପ୍‌ ଓ ତୃତୀୟ ହୋଇଛନ୍ତି। ବାଳିକା ବିଭାଗରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଝାଡ଼ଖଣ୍ଡ ଓ ମଧ୍ୟ ପ୍ରଦେଶ ଦ୍ୱିତୀୟ ଓ ତୃତୀୟ ହୋଇଛନ୍ତି। ସେହିପରି ପୁରୁଷ କବାଡ଼ିରେ ଓଡ଼ିଶା, ତାମିଲନାଡୁ ଓ କର୍ନାଟକ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଛନ୍ତି। ସେହିପରି ମହିଳା ବିଭାଗରେ କର୍ନାଟକ, ଛତିଶଗଡ଼ ଓ ଓଡ଼ିଶା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଛନ୍ତି। ଖୋ ଖୋରେ ଓଡ଼ିଶା ପ୍ରଥମ, କର୍ନାଟକ ଦ୍ୱିତୀୟ ଏବଂ ମଧ୍ୟ ପ୍ରଦେଶ ଓ ଗୁଜରାଟ ମିଳିତ ତୃତୀୟ ସ୍ଥାନରେ ରହିଛନ୍ତି। ବାଳିକା ବର୍ଗରେ ମଧ୍ୟ ଓଡ଼ିଶା ଚାମ୍ପିୟନ, ଗୁଜରାଟ ରନରଅପ୍‌ ଏବଂ ଚତିଶଗଡ଼ ଓ କର୍ନାଟକ ତୃତୀୟ ହୋଇଛନ୍ତି। ସେହିପରି ବାଳକ ଫୁଟ୍‌ବଲରେ ଓଡ଼ିଶା ପ୍ରଥମ, ବିହାର ଓ ଝାଡ଼ଖଣ୍ଡ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ହୋଇଛନ୍ତି। ବାଳିକା ବର୍ଗରେ ଛତିଶଗଡ଼ ପ୍ରଥମ, ଝାଡ଼ଖଣ୍ଡ ଦ୍ୱିତୀୟ ଓ ତ୍ରିପୁରା ତୃତୀୟ ହୋଇଛନ୍ତି। ଭଲିବଲ୍‌ ବାଳକ ବିଭାଗରେ କର୍ନାଟକ, ଉତ୍ତରାଖଣ୍ଡ ଓ ଓଡ଼ିଶା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଛନ୍ତି। ବାଳିକା ବିଭାଗରେ କର୍ନାଟକ, ଓଡ଼ିଶା ଓ ଗୁଜରାଟ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଛନ୍ତି। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅତିଥି ଭାବେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଅନୁସୂଚିତ ଜାତୀୟ ଓ ଜନଜାତି କଲ୍ୟାଣ, ସଂଖ୍ୟାଲଘୁ, ପଛୁଆବର୍ଗ କଲ୍ୟାଣ ତଥା ଆଇନମନ୍ତ୍ରୀ ଜଗନ୍ନାଥ ସାରକା, କେନ୍ଦ୍ର ସଂସ୍କୃତି ବିଭାଗ ଯୁଗ୍ମ ସଚିବ ସଂଯୁକ୍ତା ମୁଦ୍‌ଗଲ ଏବଂ ରଗ୍‌ବୀ ଇଣ୍ଡିଆ ସଭାପତି ରାହୁଲ ବୋଷ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାମଗ୍ରିକ ବାଳିକା ଓ ବାଳକ ଚାମ୍ପିୟନ ଓଡ଼ିଶା ଦଳକୁ ପୁରସ୍କୃତ କରିଥିଲେ।

Share