‘କର୍ନାଟକ ମଡେଲ୍‌ ଆପଣାନ୍ତୁ ଓଡ଼ିଶା ସରକାର’

କୋରାପୁଟ,୧୮ା୯(ଅମିତାଭ ବେହେରା): ସୁଭଦ୍ରା ଯୋଜନା ମଙ୍ଗଳବାର ଶୁଭାରମ୍ଭ ହୋଇଛି। ହିତାଧିକାରୀଙ୍କ ପାଖକୁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇଛି । ଏହି ଯୋଜନାରେ ମହିଳାମାନେ କେତେ ଉପକାର ପାଇବେ ତାହା ସମୟ ହିଁ କହିବ ବୋଲି ପଟ୍ଟାଙ୍ଗି ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି। ସେହିପରି ମହିଳାଙ୍କ ସମୃଦ୍ଧି ହେବା ଆମେ ଚାହୁଁ ବୋଲି ସେ କହିଛନ୍ତି । ଓଡ଼ିଶା ସରକାର ସୁଭଦ୍ରା ଯୋଜନା ମାଧ୍ୟମରେ ଦିନକୁ ମାତ୍ର ୨୭ ଟଙ୍କା ଦେଉଛନ୍ତି l ଏହି ଟଙ୍କା ମା’ ଭଉଣୀଙ୍କ କେଉଁ କାମରେ ଲାଗିବ? ଯଦି ଓଡ଼ିଶାର ମହିଳାଙ୍କୁ ପ୍ରକୃତରେ ସରକାର ସଶକ୍ତ କରିବାକୁ ଚାହୁଁଛନ୍ତି, ତେବେ କର୍ନାଟକ ସରକାରଙ୍କ ମଡେଲ ଆପଣାନ୍ତୁ । କର୍ନାଟକରେ ସରକାର ମାସିକ ୨ହଜାର ଟଙ୍କା ଲେଖାଏ ମହିଳାମାନଙ୍କୁ ନିୟମିତ ପ୍ରଦାନ କରୁଛନ୍ତି। ଅନୁରୂପ ଭାବେ ମହିଳାମାନେ କର୍ନାଟକ ରାଜ୍ୟରେ ବିନା ମୂଲ୍ୟରେ ବସ୍‌ଯାତ୍ରା କରିପାରୁଛନ୍ତି । ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ଛାଡ଼ ମଧ୍ୟ କରାଯାଇଛି l

ତେଣୁ କର୍ନାଟକ ଆର୍ଥିକ ସ୍ଥିତି ଓ ଆମ ରାଜ୍ୟର ସ୍ଥିତିକୁ ଯଦି ତୁଳନା କରାଯାଏ, ତେବେ ମହିଳାଙ୍କୁ ମାସିକ ଅନୂ୍ୟନ ୪ହଜାର ଟଙ୍କା ମିଳିବା କଥା l ସେମାନଙ୍କୁ ବସ୍‌ଯାତ୍ରା ସମ୍ପୂର୍ଣ୍ଣ ମାଗଣା କରାଯିବା ଉଚିତ । ମାସିକ ଯଦି ୨୦୦ ୟୁନିଟ୍‌ ବିଦ୍ୟୁତ୍‌ ଦେୟ ଛାଡ଼ କରାଯାଇପାରନ୍ତା, ତେବେ ମହିଳାମାନେ ଉପକୃତ ହୋଇପାରନ୍ତେ l ପ୍ରଚାରରେ ବହୁ କୋଟି ଟଙ୍କା ଖର୍ଚ୍ଚକରି ଜନସାଧାରଣଙ୍କ ମୌଳିକ ସମସ୍ୟା ସମାଧାନ ହୁଏନାହିଁ ବୋଲି ବିଧାନସଭାରେ କଂଗ୍ରେସର ମୁଖ୍ୟ ସଚେତକ କାଡାମ ପ୍ରକାଶ କରିଛନ୍ତି।